ରାଞ୍ଚି: ମୋବାଇଲ ଚୋରି ଅଭିଯୋଗରେ ନାବାଳକ ସମେତ 2 ଯୁବକଙ୍କୁ ନିସ୍ତୁକ ମାଡ଼ । ରଶିରେ ବାନ୍ଧି ରାସ୍ତାରେ ଘୋସାଡି ଘୋସାଡି ନେବା ସହ ଠେଙ୍ଗାରେ ନିର୍ଧୁମ ଛେଚିଲେ ଗାଁ ଲୋକ । ଏଭଳି ଏକ ଅମାନବିୟ ଘଟଣା ଦେଖିବାକୁ ମିଳିଛି ଝାଡଖଣ୍ଡ ଜିଲ୍ଲା ଚତରାର କୋବନା ଗ୍ରାମରେ । ମୋବାଇଲ ଚୋରି ଅଭିଯୋଗରେ ଗ୍ରାମବାସୀ 2 ଯୁବକଙ୍କୁ ନିସ୍ତୁକ ମାଡ ମାରୁଥିବାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।
ଭାଇରାଲ ଭିଡିଓ ଅନୁଯାୟୀ, 2 ଯୁବକଙ୍କୁ ଗ୍ରାମବାସୀ ପ୍ରଥମେ ଏକ ରଶିରେ ବାନ୍ଧି ରାସ୍ତାରେ ଟାଣି ନେଉଛନ୍ତି । ଏହାପରେ ସମସ୍ତେ ମିଶି ଉଭୟଙ୍କୁ ଅତି ନିର୍ମମ ଭାବରେ ମାଡ ମାରୁଛନ୍ତି । ଏହି ଭିଡିଓ ଭାଇରାଲ ହେବା ପରେ ଚତରା ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ମାମଲାରେ ଏଫଆଇଆର ରୁଜୁ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସପି ରିଷଭ ଝା।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ