ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଆନ୍ଦୋଳନରତ ଚାଷୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ସରକାରଙ୍କ ପ୍ରସ୍ତବକୁ ପ୍ରତ୍ୟାକ୍ଷାନ କରିବା ସହ ନିଜ ଦାବିରେ ଅଟଳ ରହିଛନ୍ତି ଚାଷୀ । ବୈଠକରେ ଅନେକ କୃଷି ଆଇନର ପ୍ରତ୍ୟେକ ବିନ୍ଦୁ ଉପରେ ଚାଷୀଙ୍କୁ ବୁଝାଇଛନ୍ତି ସରକାର ।
ବିଜ୍ଞାନ ଭବନରେ ହୋଇଥିବା ବୈଠକରେ APMC ଅଧିନିୟମ ଓ ସର୍ବନିମ୍ନ ସହାୟତା ମୂଲ୍ୟ ଉପରେ ପ୍ରେଜେଣ୍ଟେସନ ଜରିଆରେ ବୁଝାଇବାକୁ ପ୍ରୟାସ କରିଥିଲେ ସରକାର । ତଥାପି ଆଲୋଚନାରେ କୌଣସି ସମାଧାନର ରାସ୍ତା ମିଳିନାହିଁ । ଅନ୍ୟପକ୍ଷେ ଏହି ସମସ୍ୟା ଉପରେ ଏକ କମିଟି ଗଠନ କରିବାକୁ ସହମତି ପ୍ରକାଶ ପାଇଛି । ତେବେ ପୂନର୍ବାର ଚାଷୀ ଓ ସରକାରଙ୍କ ମଧ୍ୟରେ ଗୁରୁବାର ହେବ ଆଲୋଚନା ।
ବୈଠକ ବାବଦରେ ଚାଷୀ ନେତା ଚନ୍ଦା ସିଂହ କହିଛନ୍ତି, କୃଷି ଆଇନ ବିରୁଦ୍ଧରେ ଆମର ଆନ୍ଦୋଳନ ଜାରି ରହିବ । ଗୁଳି ହେଉ କିମ୍ବା ଶାନ୍ତିପୂର୍ଣ୍ଣ ସମାଧାନ, ଆମେ ନିଶ୍ଚିତ ଭାବରେ ସରକାରଙ୍କ ଠାରୁ ଏହାକୁ ପ୍ରତ୍ୟାହାର କରାଇବୁ । ଆମେ ସେମାନଙ୍କ ସହିତ ଅଧିକ ଆଲୋଚନା ଆଶା କରୁଛୁ ବୋଲି ସେ କହିଛନ୍ତି ।
ଅନ୍ୟପକ୍ଷେ ସରକାରଙ୍କ ପକ୍ଷରୁ ଏହି ବୈଠକର ପ୍ରତିନିଧିତ୍ବ କରୁଥିବା କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି, ବୈଠକ ସ୍ବଭିବିକ ଥିଲା ଏବଂ ଆମେ ନିଷ୍ପତ୍ତି ନେଇଛୁ ଯେ ପୂନର୍ବାର ଆଲୋଚନା 3 ଡିସେମ୍ବରରେ ହେବ। ଆମେ ଚାହୁଁଥିଲୁ ଏକ ଛୋଟ କମିଟି ଗଠନ ହେଉ, ହେଲେ ଚାଷୀ ନେତା ଚାହୁଁଛନ୍ତି ଯେ ସମସ୍ତଙ୍କ ସହ ଆଲୋଚନା ହେଉ । ଆମର ଏଥିରେ କୌଣସି ଅସୁବିଧା ନାହିଁ ବୋଲି ତୋମାର କହିଛନ୍ତି ।
କେନ୍ଦ୍ର କୃଷିମନ୍ତ୍ରୀ କହିଛନ୍ତି, ପ୍ରଦର୍ଶନ ସ୍ଥଗିତ ରଖିବାକୁ ଏବଂ ଆଲୋଚନା ପାଇଁ ଆସିବାକୁ ଆମେ ଚାଷୀମାନଙ୍କୁ ନିବେଦନ କରୁଛୁ। ତେବେ ଏହି ନିଷ୍ପତ୍ତି କୃଷି ସଂଗଠନ ଏବଂ ଚାଷୀଙ୍କ ଉପରେ ନିର୍ଭର କରେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି କୃଷି ମନ୍ତ୍ରୀ ।