ନୂଆଦିଲ୍ଲୀ: ପାକିସ୍ତାନ ସୁଧୁରିବାର ନାଁ ନେଉ ନାହିଁ । ବିଭିନ୍ନ କାରସାଦି କରି ସୀମାବର୍ତ୍ତୀ ଇଲାକରେ ଅଶାନ୍ତି, ହିଂସା ଭିଆଇବା ପାଇଁ ବାରମ୍ବାର ପ୍ରୟାସ କରୁଛି । ଗଲା କିଛି ଦିନ ହେଲା ‘ଡ୍ରୋନ’ ଚାଲ୍ କରୁଛି ଆତଙ୍କୀସ୍ଥାନ ।
ପାକ୍ର ଏହି ବିପଦପୂର୍ଣ୍ଣ ଡ୍ରୋନ ଅସ୍ତ୍ରକୁ ଧ୍ବସ୍ତବିଧ୍ବସ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ । ସୁରକ୍ଷା କର୍ମୀଙ୍କୁ ଦିଆଗଲା ବିଶେଷ ଅଧିକାର । ହଜାରେ ଫୁଟ କିମ୍ବା ଏହା ଠାରୁ କମ ଉଚ୍ଚତାରେ ଉଡୁଥିବା ଡ୍ରୋନକୁ ମାରି ଖସାଇବା ପାଇଁ ଅନୁମତି ପ୍ରଦାନ କରାଯାଇଛି ।
କେନ୍ଦ୍ର ସରକାରଙ୍କ ସୂତ୍ର ଅନୁସାରେ, ଅନ୍ତରାଷ୍ଟ୍ରୀୟ ସୀମା ନିକଟବର୍ତ୍ତୀ ଅଞ୍ଚଳରେ ସୁରକ୍ଷା କର୍ମୀ ଆକାଶରେ ପାକିସ୍ତାନ ଡ୍ରୋନ ଦେଖିଲା ମାତ୍ରେ ଧ୍ବଂସ କରିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଧାର୍ଯ୍ୟ ଉଚ୍ଚତା ରହିଛି 1000 ଫୁଟ କିମ୍ବା ଏହାଠାରୁ କମ ଉଚ୍ଚତା । 1000 ଫୁଟ ଉଚ୍ଚତା ଉପରେ ବିମାନ ଚଳାଚଳ କରେ । ଖାସ ସେଥିପାଇଁ 1000 ଫୁଟରୁ ଅଧିକ ଉଚ୍ଚତାରେ ଉଡୁଥିବା ଡ୍ରୋନ ଉପରେ କୌଣସି ପ୍ରକାର ଆକ୍ସନ ନେବା ପୂର୍ବରୁ ଅନୁମତି ଲୋଡିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଏଠାରେ ସୂଚନା ଯୋଗ୍ୟ ଯେ ଗଲା କିଛି ଦିନ ହେବ ପାକିସ୍ତାନରୁ ଅସ୍ତ୍ର ଆଣିଥିବା ଡ୍ରୋନ ଉଦ୍ଧାର ଲଗାତାର କରାଯାଉଛି । ଭାରତରେ ଆକ୍ରମଣ ନିମନ୍ତେ ପାକିସ୍ତାନ କ୍ଷୁଦ୍ର ଡ୍ରୋନ ମାଧ୍ୟମରେ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇଦେଉଛି । ଏହାର ନିଶାଣରେ ବିଶେଷକରି ଭାରତ-ପାକ ସୀମା ସଂଲଗ୍ନ ପଞ୍ଜାବ ଓ ଏହାର ଆଖପାଖ ଅଞ୍ଚଳ ରଖୁଛି ।