ଲକ୍ଷ୍ନୌ: ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ଜଳୁଛି ନିଆଁ। ଏହି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଛନ୍ତି ଲୋକେ । ତେବେ ଏହାର ପ୍ରଭାବ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ମଧ୍ୟ ପଡିଛି। ଗତକାଲି ହୁସେନାବାଦରେ ପ୍ରଦର୍ଶନରେ ସାମିଲ ଥିବା ଜଣେ ବ୍ୟକ୍ତି ଆହତ ହୋଇଥିଲା । ପରବର୍ତ୍ତୀ ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।
ସୁରକ୍ଷାକୁ ଦୃଷ୍ଟିରେ ରଖି ଲୋକଙ୍କୁ ନିୟନ୍ତ୍ରଣ ପାଇଁ ପୋଲିସ ଲୁହ ବୁହା ଗ୍ୟାସ ପ୍ରୟୋଗ କରିବା ସହ ଲାଠିଚାର୍ଜ କରିଥିଲା । ଏହାସହ ଲକ୍ଷ୍ନୌରେ ଲାଗି ରହିଥିବା ପ୍ରଦର୍ଶନ ଯୋଗୁଁ ଆଜି ବିଶ୍ବବିଦ୍ୟାଳୟରେ ହେବାକୁ ଥିବା ପରୀକ୍ଷା ବାତିଲ କରାଯାଇଛି । ଲକ୍ଷ୍ନୌ ସମେତ ଝାନସୀ ଏବଂ ବୁନ୍ଦେଲଖଣ୍ଡର ବିଶ୍ବବିଦ୍ୟାଳୟରେ ମଧ୍ୟ ପରୀକ୍ଷା ସ୍ଥଗିତ ରଖାଯାଇଛି । ଚଳିତ ମାସ 22 ତାରିଖରେ ହେବାକୁ ଥିବା ଟିଇଟି ପରୀକ୍ଷା ମଧ୍ୟ ସ୍ଥଗିତ ହୋଇଛି।
ପ୍ରଦର୍ଶନ ଏତେ ମାତ୍ରାରେ ହେଉଥିଲା ଯେ, ରାସ୍ତା ଘାଟରେ ଗାଡି ପୋଡିବା ସହ ପୋଲିସ ଥାନା ଓ ଗାଡି ପୋଡିଥିଲେ ପ୍ରଦର୍ଶନକାରୀ। କେବଳ ଏତିକି ନୁହେଁ ଲକ୍ଷ୍ନୌର ଡାଲିଗଞ୍ଜ ଏବଂ ହଜରତଗଞ୍ଜ ଅଞ୍ଚଳରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି ଆନ୍ଦୋଳନକାରୀ।