ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଲା ନବରାତ୍ରି । ଧରାପୃଷ୍ଠରେ ଅବତରଣ କରିବେ ଶକ୍ତି ସ୍ବରୂପିଣୀ ମା ଦୁର୍ଗା । ନବରାତ୍ରିର ଆରମ୍ଭ ସହିତ ଦିଲ୍ଲୀର ପ୍ରସିଦ୍ଧ ଦେବୀ ଝଣ୍ଡାବାଲୀଙ୍କ ମନ୍ଦିରରେ ରଥାଯାତ୍ରାର ଶୁଭାରମ୍ଭ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରିଓ୍ବାଲ ସମସ୍ତଙ୍କୁ ନବରାତ୍ରିର ଶୁଭକାମନା ଜଣାଇବା ସହ ଏହି ରଥାଯାତ୍ରାର ଶୁଭାରମ୍ଭ କରିଛନ୍ତି । କୋରୋନା ଗାଇଡଗାଲନ ମଧ୍ୟରେ ମା'ଙ୍କର ମୋଟ 8 ଟି ରଥ ଦିଲ୍ଲୀର 31 ଟି ସ୍ଥାନରେ ପହଞ୍ଚି ଭକ୍ତଙ୍କୁ ଦର୍ଶନ ଦେବେ ।
ଦେଶର ବିଭିନ୍ନ ପ୍ରସିଦ୍ଧ ଶକ୍ତିପୀଠ ମଧ୍ୟରୁ ଦିଲ୍ଲୀର ମା ଝଣ୍ଡାବାଲୀଙ୍କ ପୀଠ ଅନ୍ୟତମ । ଏଠାରେ ପ୍ରତିବର୍ଷ ନବରାତ୍ରି ଅବସରରେ ମା'ଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ଚଳିତ ବର୍ଷ କୋରୋନା କଟକଣା ମଧ୍ୟରେ ଝଣ୍ଡାଦେବୀଙ୍କ ରଥାଯାତ୍ରା କରାଯିବ । ରଥ ଉପରେ ହିଁ ଶ୍ରଦ୍ଧାଳୁ ମାଆଙ୍କୁ ଦର୍ଶନ କରିବେ । ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ଭକ୍ତଙ୍କ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବେଶ୍ ଭଲ ପ୍ରସ୍ତୁତି କରାଯାଇଥିବା କହିଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ । ଏହାସହ କୋରୋନା କବଳରୁ ଜଗତକୁ ମୁକ୍ତ କରିବାକୁ ମାଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି କେଜ୍ରିଓ୍ବାଲ ।
ସେଣ୍ଟ୍ରାଲ ଦିଲ୍ଲୀ ଇଲାକାରେ ରହିଥିବା ମା ଝଣ୍ଡାଦେବୀଙ୍କ ଏହି ପ୍ରାଚୀନ ତଥା ଐତିହାସିକ ମନ୍ଦିରକୁ ପ୍ରତିଦିନ ହଜାର ହଜାର ଭକ୍ତ ପୂଜା ପାଇଁ ଆସିଥାନ୍ତି । କୁହାଯାଏ କି, ଏହିଠାରେ ପୂର୍ବରୁ ବଦ୍ରୀଦାସ ନାମକ ଜଣେ ଲୁଗା ବ୍ୟବସାୟୀ ରହୁଥିଲେ । ଦିନେ ତାଙ୍କୁ ସ୍ବପ୍ନାଦେଶ ହେଲା କି ଯେଉଁଠାରେ ସେ ରହୁଛନ୍ତି ସେହି ମାଟି ତଳେ ମା'ଙ୍କର ଏକ ମନ୍ଦିର ପୋତି ହୋଇରହିଛି । ଏହାପରେ ସେହି ସ୍ଥାନକୁ ଖୋଳା ଯାଇଥିଲା ଏବଂ ମାଟି ତଳୁ ଏକ ପତାକା ସହିତ ମାଆଙ୍କ ପ୍ରତିମୂର୍ତ୍ତି ଓ ମନ୍ଦିରର କିଛି ଅବଶିଷ୍ଟାଶଂ ମିଳିଥିଲା । ସେହିଦିନ ଠାରୁ ଏଠାରେ ମାଆଙ୍କ ମନ୍ଦିର ସ୍ଥାପନା କରାଯାଇ ଝଣ୍ଡାବାଲୀ ରୂପେ ମାଆ ପୂଜା ପାଉଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ