ବେଙ୍ଗାଲୁରୁ: କେଫ୍ କଫି ଡେ' ର (ସିସିଡି) ସଂସ୍ଥାପକ ତଥା ମାଲିକ ଭିଜି ସିଦ୍ଧାର୍ଥ ନିଖୋଜ ହୋଇଛନ୍ତି । ସିଦ୍ଧାର୍ଥ ହେଉଛି କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଏସଏମ କୃଷ୍ଣାଙ୍କ ଜ୍ବାଇଁ । ସୋମବାର ସନ୍ଧ୍ୟାରେ ସେ ଘରୁ କାର ନେଇ ବାହାରିଥିଲେ । ତାଙ୍କ ମୋବାଇଲ ଫୋନ ମଧ୍ୟ ବନ୍ଦ ଥିବାରୁ ତାଙ୍କ ସହ କୌଣସି ଯୋଗାଯୋଗ କରିପାରିନଥିଲେ ପରିବାରବର୍ଗ ।
ସିଦ୍ଧାର୍ଥ ଉଲ୍ଲଲ ପୋଲରୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ ସିଦ୍ଧାର୍ଥଙ୍କ ଗାଡିର ଡ୍ରାଇଭରର ବୟାନ ପରେ ଏଭଳି ଆଶଙ୍କା ପ୍ରକାଶ ପାଇଛି । ଇତିମଧ୍ୟରେ ସିଦ୍ଧାର୍ଥଙ୍କ ଦ୍ବାରା ଲିଖିତ ଏକ ଚିଠି ପ୍ରକାଶ ପାଇଛି। ଏହି ଚିଠି ସେ ବୋର୍ଡ ଅଫ୍ ଡିରେକ୍ଟର୍ସ ଏବଂ ସିସିଡି ପରିବାରକୁ ଲେଖିଛନ୍ତି । ଉକ୍ତ ଚିଠିରେ କମ୍ପାନୀର ଦୟନୀୟ ସ୍ଥିତି ଏବଂ ରଣ ସମ୍ପର୍କରେ ସେ ଉଲ୍ଲେଖ କରିଛନ୍ତି ।
ଅପରପକ୍ଷେ ସିଦ୍ଧାର୍ଥଙ୍କୁ ଖୋଜିବା ପାଇଁ କନ୍ନଡ ପୋଲିସ ହେଲିକ୍ୟାପ୍ଟର ଏବଂ କୋଷ୍ଟଗାର୍ଡର ସାହାଯ୍ୟ ନେଇଛି । ପାଖାପାଖି 200 ଲୋକ ତାଙ୍କୁ ଖୋଜୁଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରୁପ୍ପା ଏସଏମ କୃଷ୍ଣାଙ୍କ ପରିବାରକୁ ଭେଟିଛନ୍ତି ।
ରିପୋର୍ଟ ଅନୁସାରେ, ସୋମବାର ସନ୍ଧ୍ୟାରେ ସିଦ୍ଧାର୍ଥ ନିଜ କାର ନେଇ ଘରୁ ବାହାରି ଯାଇଥିଲେ । ମାଙ୍ଗାଲୋର ନିକଟସ୍ଥ ନେତ୍ରାବତୀ ନଦୀ ଉପରେ ଥିବା ପୋଲରେ ନିଜ ଗାଡି ରଖି କୁଆଡେ ଚାଲିଯାଇଥିଲେ । ଦୀର୍ଘ ସମୟ ପରେ ସେ ନଫେରିବାରୁ ଡ୍ରାଇଭର ତାଙ୍କୁ ଆଖପାଖ ଅଞ୍ଚଳରେ ଖୋଜିଥିଲା । ମାତ୍ର ନପାଇବାରୁ ପରିବାରଲୋକଙ୍କ ଏସମ୍ପର୍କରେ ଜଣାଇଥିଲା ।
ଉକ୍ତ ଘଟଣା ପୂର୍ବରୁ ସିଦ୍ଧାର୍ଥ ନିଜ ସିଏଫଓଙ୍କ ସହ କଥା ହୋଇଥିଲେ । ଏହାପରେ ସେ ନିଜ ଫୋନ ବନ୍ଦ କରି ଦେଇଥିଲେ । ସୂଚନାନୁସାରେ, ସିସିଡି ଉପରେ ପାଖାପାଖି 8 ହଜାର 82କୋଟିର ଋଣ ରହିଛି । ତେବେ ଋଣ ବୋଝ ସହିନପାରି ସେ ଆତ୍ମହତ୍ୟା କରିଥିବା ନେଇ ପୋଲିସ ପକ୍ଷରୁ ସନ୍ଦେହ କରାଯାଉଛି ।