ନୂଆଦିଲ୍ଲୀ: ଆଗାମୀ ପର୍ଯ୍ୟାୟ ସ୍ପେକ୍ଟ୍ରମ ନିଲାମିକୁ ମଞ୍ଜୁରୀ ପ୍ରଦାନ କରିଛି କେନ୍ଦ୍ର କ୍ୟାବିନେଟ । ଟେଲିକମ ଉପରେ ନିର୍ଣ୍ଣୟ ନେଉଥିବା ବିଭାଗ ଚଳିତ ବର୍ଷ ମେ ମାସରେ ସ୍ପେକ୍ଟ୍ରମ ନିଲାମି ଯୋଜନାକୁ ମଞ୍ଜୁରୀ ପ୍ରଦାନ କରିଥିଲା । ଏହି ମଞ୍ଜୁରୀ କେନ୍ଦ୍ର କ୍ୟାବିନେଟର ଅନୁମତି ଉପରେ ନିର୍ଭର ଥିଲା ।
ଟେଲିକମ ବିଭାଗକୁ ଆଗାମୀ ପର୍ଯ୍ୟାୟ ନିଲାମି ପାଇଁ ଅଧିସୂଚନା ଜାରି କରିବାକୁ ପଡିବ । ଏହି ଆଧାରରେ 5.22 ଲକ୍ଷ କୋଟି ଟଙ୍କା ମୂଲ୍ୟର ରେଡିଓ ତରଙ୍ଗର ବିକ୍ରି କରାଯିବ ।
ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ଅନୁଯାୟୀ 3.92 ଲକ୍ଷ କୋଟି ଟଙ୍କା ମୂଲ୍ୟର ସ୍ପେକ୍ଟ୍ରମ ବିନା କୌଣସି ଉପଯୋଗରେ ନିଲାମି ପାଇଁ ପଡିରହିଛି । ଟେଲିକମ ମନ୍ତ୍ରଣାଳୟକୁ ଟେଲିକମ କମ୍ପାନୀ ଗୁଡିକଠାରୁ 5 ପ୍ରତିଶତ ରାଜସ୍ବ ମିଳିଥାଏ । ଏହାର ଆକଳନ କମ୍ପାନୀଗୁଡିକ ପାଖରେ ଉପଲବ୍ଧ ସ୍ପେକ୍ଟ୍ରମ ଆଧାରରେ ହୋଇଥାଏ । ଏହା ଛଡା ଟେଲିକମ ସେବାଗୁଡିକର ବିକ୍ରିରୁ ପ୍ରାପ୍ତ ଅର୍ଥରୁ ଲାଇସେନ୍ସ ଅର୍ଥ ଆକାରରେ 8 ପ୍ରତିଶତ ଅଂଶ ମିଳିଥାଏ ।
ଅନ୍ୟପକ୍ଷେ ପୂର୍ବୋତ୍ତରରେ ବିଦ୍ୟୁତ ବ୍ୟବସ୍ଥାର ସୁଧାର ପାଇଁ ନୂଆ ବଜେଟକୁ କ୍ୟାବିନେଟର ଅନୁମୋଦନ ମିଳିଛି । ପୂର୍ବରୁ ଏହା ଉପରେ 5 ହଜାର କୋଟି ଟଙ୍କାର ଖର୍ଚ୍ଚ ହେବାର ଥିଲା । ହେଲେ ଏବେ 6700 କୋଟି ଟଙ୍କା ଖର୍ଚ୍ଚ ହେବ ।
କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ସୂଚନା ଦେଇଛନ୍ତି ଯେ ସରକାରଙ୍କ ପକ୍ଷରୁ ସ୍ପେକ୍ଟ୍ରମ ନିଲାମିର ନିଷ୍ପତ୍ତି ନିଆଯାଇଛି । ଏହା ପୂର୍ବରୁ 2016ରେ ଏପରି ନିଲାମି ହୋଇଥିଲା । ଏହାସହ ସରକାର ଟେଲିକମ କ୍ଷେତ୍ରରେ କେନ୍ଦ୍ର କମିଟି ଗଠନ ପାଇଁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି ।
କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ କହିବା ଅନୁଯାୟୀ ଏହା ଜରିଆରେ ଟ୍ରାନ୍ସମିସନ ଲାଇନକୁ ବୃଦ୍ଧି କରାଯାଇପାରିବ ଓ 24 ଘଣ୍ଟା ବିଦ୍ୟୁତ ଲକ୍ଷ୍ୟକୁ ମଧ୍ୟ ପୁରା କରାଯିବ ।
କେନ୍ଦ୍ର କ୍ୟାବିନେଟର ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକୁ ସ୍ବାଗତ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ଟ୍ବିଟ କରି କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ବରେ ଏକ ଭବିଷ୍ୟତର ଭାରତ ପ୍ରସ୍ତୁତ ହେଉଛି ।