ନୂଆଦିଲ୍ଲୀ: ଜୁଲାଇ 5 ତାରିଖରେ ଉପସ୍ଥାପନ ହେବ ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ରର ବଜେଟ । ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନା କରିବେ । ତେବେ ବଜେଟରେ କାହାକୁ ଯିବ ସିଂହ ଭାଗ । କାହାକୁ ଅଧିକ ପ୍ରାଧାନ୍ୟ ଦେବେ ଅର୍ଥମନ୍ତ୍ରୀ ? ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।
ଅର୍ଥନୈତିକ ସ୍ତରରେ ଅନେକ ମାନସମନ୍ଥନ ପରେ ସଂସଦକୁ ବଜେଟ୍ ବ୍ରିଫ୍କେସ ନେଇ ଆସୁଛନ୍ତି ପ୍ରଥମ ମହିଳା ଅର୍ଥମନ୍ତ୍ରୀ । ତେବେ ଏହି ବ୍ରିଫ୍କେସରେ ଅଧିକ ପ୍ରାଧାନ୍ୟ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ମିଳିବ ବୋଲି ଲାଗି ରହିଛି କଳ୍ପନା ଜଳ୍ପନା ।
ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଏହା ସହ ଅନ୍ତରୀଣ ବଜେଟରେ ପ୍ରତିରକ୍ଷାକୁ ପ୍ରାଧାନ୍ୟ ଦିଆଯାଇଥିବାରୁ ପୂର୍ଣ୍ଣାଙ୍ଗ ବଜେଟରେ ଅଧିକ ଅର୍ଥ ପ୍ରତିରକ୍ଷାକୁ ଯାଇପାରେ ବୋଲି କୁହାଯାଉଛି ।
ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ଥିବା ନିର୍ମଳା ବର୍ତ୍ତମାନ ଅର୍ଥମନ୍ତ୍ରୀ ରହିଛନ୍ତି । ତେଣୁ ପ୍ରତିରକ୍ଷାରେ ରହିଥିବା ଅସୁବିଧା ସମ୍ପର୍କରେ ତାଙ୍କର ଧାରଣା ରହିଥିବ ।
ତେବେ ଏହିସବୁ କାରଣ ପାଇଁ ବଢିବ ପ୍ରତିରକ୍ଷା ବଜେଟ
ଚଳିତ ବର୍ଷ ଅନ୍ତରୀଣ ବଜେଟରେ ପ୍ରତିରକ୍ଷା ପାଇଁ ୩ ଲକ୍ଷ କୋଟି ଟଙ୍କା ଟପିଥିଲା । ଯାହା ପୂର୍ବବର୍ଷର ବ୍ୟୟବରାଦ ଠାରୁ 6.96 ପ୍ରତିଶତ ଅଧିକ ରହିଥିଲା । ସୂଚନାଅନୁଯାୟୀ, ପ୍ରତିରକ୍ଷା ପାଇଁ ଭାରତ ଜିଡିପିର 1.5 ପ୍ରତିଶତରୁ କମ୍ ଖର୍ଚ୍ଚ କରୁଛି । ଯେଉଁଠିକି ଚୀନ 2.5 ପ୍ରତିଶତ ଓ ପାକିସ୍ତାନ 3.5 ପ୍ରତିଶତ ଖର୍ଚ୍ଚ କରନ୍ତି ।
ଏହା ସହ ମୁଦ୍ରାସ୍ପିତି ବୃଦ୍ଧି ଓ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ହ୍ରାସ ଫଳରେ ଅନ୍ୟଦେଶରୁ ପ୍ରତିରକ୍ଷା ସାମଗ୍ରୀ କିଣିବା ପାଇଁ ଅଧିକ ଅର୍ଥର ଆବଶ୍ୟକ ପଡିବ । ଏଥିସହ ୱାନ ର୍ୟାଙ୍କ ୱାନ ପେନସନ ମଧ୍ୟ ବଜେଟ ବଢିବାର ଏକ କାରଣ ସାଜିବ ।