ସଞ୍ଜୀବ କୁମାର ବରୁଆ, ନୂଆଦିଲ୍ଲୀ
ଆସାମର ମହା ପରାକ୍ରମୀ ବ୍ରହ୍ମପୁତ୍ର ନଦୀ ଶଯ୍ୟାରେ ପ୍ରସ୍ତାବିତ 15 କିଲୋମିଟର ଲମ୍ବା ଏକ ଟନେଲ୍ ବା ଭୂତଳ ରାସ୍ତା ପ୍ରକଳ୍ପ 2028 ସୁଦ୍ଧା କାର୍ଯ୍ୟକ୍ଷମ ହେଲେ ଭାରତର ସାମରିକ ଶକ୍ତି କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଦେଖାଦେବ ।
ଏହି ଉଚ୍ଚାକାଂକ୍ଷୀ ପ୍ରକଳ୍ପ ସଂପୂର୍ଣ୍ଣ ହେବା ସହିତ ରଣକୌଶଳ ଦୃଷ୍ଟିରୁ ଚୀନର ବୃହତ୍ତମ ନଗରୀ ଏବଂ ଅନ୍ତର୍ଜାତୀୟ ବାଣିଜ୍ୟ କାରବାରର ପେଣ୍ଠସ୍ଥଳୀ ସାଂଘାଇ ସମେତ ପ୍ରାୟ ସମଗ୍ର ଚୀନ ଭାରତର କ୍ଷେପଣାସ୍ତ୍ରଗୁଡ଼ିକର ଲକ୍ଷ୍ୟଭେଦ ସୀମାରେ ରହିବ । ଚୀନକୁ ନଜରରେ ରଖି, ଦେଶର ଉତ୍ତର ପୂର୍ବାଞ୍ଚଳରେ ପ୍ରବାହିତ ବ୍ରହ୍ମପୁତ୍ର ନଦୀର ଦକ୍ଷିଣ କୂଳରେ ଭାରତର ସମସ୍ତ ଶକ୍ତିଶାଳୀ ପାରମ୍ପରିକ ଏବଂ ଆଣବିକ ଯୁଦ୍ଧାସ୍ତ୍ର ବହନକାରୀ କ୍ଷମତାସଂପନ୍ନ କ୍ଷେପଣାସ୍ତ୍ରଗୁଡ଼ିକର ଅବସ୍ଥାପନ କରାଯାଇଛି । ଟନେଲ ନିର୍ମାଣ ପରେ ଏଗୁଡ଼ିକୁ ଉତ୍ତରରେ ଅବସ୍ଥିତ ଅରୁଣାଚଳ ପ୍ରଦେଶକୁ ନେବା ସହଜ ହେବ ଏବଂ ଏହା ଫଳରେ ସମଗ୍ର ଚୀନ ଭାରତର କ୍ଷେପଣାସ୍ତ୍ରଗୁଡ଼ିକର ଲକ୍ଷ୍ୟଭେଦ ସୀମା ଭିତରେ ରହିବ ।
ଅଧିକନ୍ତୁ, ଅରୁଣାଚଳ ପ୍ରଦେଶର ସୁଉଚ୍ଚ ପାହାଡ଼ ଏବଂ କଠିନ ପାର୍ବତ୍ୟାଞ୍ଚଳରେ ଏହି କ୍ଷେପଣାସ୍ତ୍ରଗୁଡ଼ିକ ନିୟୋଜିତ ହେବା ଫଳରେ ଅଧିକ ଗୋପନୀୟତା ଏବଂ ସୁରକ୍ଷା ମିଳିପାରିବ । କିନ୍ତୁ ସେଥିପାଇଁ, ଗୋପନରେ ଏବଂ ସହଜରେ କ୍ଷେପଣାସ୍ତ୍ରଗୁଡ଼ିକର ପରିବହନ ସୁନିଶ୍ଚିତ କରିବା ଖୁବ୍ ଗୁରୁତ୍ବପୂର୍ଣ୍ଣ । ସେହି କ୍ଷେତ୍ରରେ, ରଣନୈତିକ ଦୃଷ୍ଟିକୋଣରୁ ବ୍ରହ୍ମପୁତ୍ର ନଦୀର ଟନେଲ୍ ବେଶ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ ।
ପ୍ରସ୍ତାବିତ ଟନେଲ୍ ନଦୀର ଦକ୍ଷିଣ କୂଳବର୍ତ୍ତୀ ନୁମାଲିଗଡ଼ରୁ ଉତ୍ତରରେ ଅରୁଣାଚଳ ପ୍ରଦେଶ ସମୀପବର୍ତ୍ତୀ ଗୋହପୁରକୁ ସଂଯୁକ୍ତ କରିବ । କ୍ଷେପଣାସ୍ତ୍ର ପରିବହନ ବ୍ୟତୀତ, ସେନାବାହିନୀର ଅଗ୍ରଗତି ଏବଂ ଭାରି ଗୋଳାବାରୁଦ ସମେତ ଅନ୍ୟାନ୍ୟ ଯୁଦ୍ଧ ଉପକରଣ ପରିବହନରେ ଏହି ଟନେଲ ଭାରତୀୟ ସେନାକୁ ବହୁବିଧ ସାମର୍ଥ୍ୟ ପ୍ରଦାନ କରିବ । କାରଣ, ଶତ୍ରୁପକ୍ଷର ନଜର ଆଢୁଆଳରେ ରହି, ଚୀନ ସହ ପ୍ରକୃତ ସୀମାରେଖା ବା ବାସ୍ତବ ନିୟନ୍ତ୍ରଣ ରେଖାରେ ସେନା ଓ ଗୁଳିଗୋଳା ମୁତୟନ କ୍ଷେତ୍ରରେ ଏହା ବେଶ୍ ଉପଯୋଗୀ ହେବ ।
ପ୍ରକାଶିତ ତଥ୍ୟ ଅନୁସାରେ, ଆସାମର ବିଭିନ୍ନ ସ୍ଥାନରେ ଭାରତର ସାମରିକ ଘାଟି ରହିଛି ଏବଂ ଏହି ସବୁ ଘାଟିରେ ଆଣବିକ ଯୁଦ୍ଧାସ୍ତ୍ର ବହନ କ୍ଷମତାସଂପନ୍ନ ଅଗ୍ନି 2, ଅଗ୍ନି 3 ଏବଂ ବ୍ରହ୍ମୋସ୍ ଭଳି କ୍ଷେପଣାସ୍ତ୍ର ମୁତୟନ କରାଯାଇଛି । ମଧ୍ୟମ ଦୂରଗାମୀ ଅଗ୍ନି 2 ବାଲିଷ୍ଟିକ କ୍ଷେପଣାସ୍ତ୍ରର 3,500 କିଲୋମିଟର ଯାଏଁ ଲକ୍ଷ୍ୟଭେଦ କ୍ଷମତା ରହିଥିବା ବେଳେ ଅନ୍ତର୍ମଧ୍ୟବର୍ତ୍ତୀ କ୍ଷେପଣାସ୍ତ୍ର ଅଗ୍ନି 3ର ଲକ୍ଷ୍ୟଭେଦ କ୍ଷମତା 5,000 କିଲୋମିଟର ପର୍ଯ୍ୟନ୍ତ ରହିଛି । ଅନ୍ୟପକ୍ଷରେ ବ୍ରହ୍ମୋସ୍ ଏକ କ୍ରୁଜ୍ ମିସାଇଲ, ଯାହାର 300 କିଲୋମିଟର ଯାଏଁ ଲକ୍ଷ୍ୟଭେଦ କ୍ଷମତା ରହିଛି । ଏହି ସବୁ କ୍ଷେପଣାସ୍ତ୍ରକୁ ଚଳମାନ ମଞ୍ଚରୁ, ଏମିତି କି ସଡ଼କରୁ କିମ୍ବା ରେଳ ଉପରୁ ନିକ୍ଷେପ କରାଯାଇପାରିବ ।
ଚୀନ ମଧ୍ୟ ଅତି କମ୍ରେ 104ଟି ଏଭଳି ଆଣବିକ କ୍ଷେପଣାସ୍ତ୍ର ମୁତୟନ କରିଛି, ଯାହାକି ଭାରତର ସର୍ବାଧିକ ଦୂରବର୍ତ୍ତୀ ଅଞ୍ଚଳରେ ପହଞ୍ଚି ପାରିବ । ଭାରତ ବିରୋଧରେ ଚୀନ ସେନା ପିଏଲ୍ଏର ଷ୍ଟ୍ରାଟେଜିକ ରକେଟ୍ ଫୋର୍ସ (PLASRF) ପକ୍ଷରୁ ମୁତୟନ କରାଯାଇଥିବା ପ୍ରମୁଖ ଆଣବିକ କ୍ଷମତାସଂପନ୍ନ କ୍ଷେପଣାସ୍ତ୍ରଗୁଡ଼ିକ ମଧ୍ୟରେ ରହିଛି ଡଙ୍ଗ-ଫେଙ୍ଗ 21 ଏବଂ ଡଙ୍ଗ-ଫେଙ୍ଗ 31 । ଡିଏଫ୍ 21 କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା 2,000 କିଲୋମିଟର ହୋଇଥିବା ବେଳେ ଡିଏଫ୍ 31ରେ ଦୁଇ ପ୍ରକାର କ୍ଷେପଣାସ୍ତ୍ର ରହିଛି । ଡିଏଫ୍ 31ର 7,000 କିଲୋମିଟର ଏବଂ ଡିଏଫ୍ 31ଏ’ର ଲକ୍ଷ୍ୟଭେଦ କ୍ଷମତା 11,000 କିଲୋମିଟର ପର୍ଯ୍ୟନ୍ତ ରହିଛି ।
ଭାରତକୁ ଲକ୍ଷ୍ୟ କରି ଡିଏଫ୍ 21 କ୍ଷେପଣାସ୍ତ୍ରଗୁଡ଼ିକୁ ଉଇଘୁର ସ୍ବୟଂଶାସିତ ଅଞ୍ଚଳର କୋର୍ଲା, ଶିନ୍ଜିଆଙ୍ଗ (ବେସ୍ 56) ରେ ଏବଂ ୟୁନ୍ନାନ ପ୍ରଦେଶର ଜିଆନ୍ସୁଇ (ବେସ୍ 53)ରେ ସ୍ଥାପନ କରାଯାଇଛି । ଅନ୍ୟ ପକ୍ଷରେ ଉଭୟ ଡିଏଫ୍ 21 ଏବଂ ଡିଏଫ୍ 31 କ୍ଷେପଣାସ୍ତ୍ରଗୁଡ଼ିକୁ କ୍ବିଂଘାଇ ପ୍ରଦେଶର ଲିକ୍ୟୁଂକୁ (ବେସ୍ 56)ରେ ସ୍ଥାପନ କରାଯାଇଛି । ନିକଟରେ ଭାରତ ସରକାର ଏହି ଟନେଲ୍ ପ୍ରକଳ୍ପକୁ ନୀତିଗତ ଭାବେ ଅନୁମୋଦନ କରିବା ପରେ ଏ ସଂକ୍ରାନ୍ତରେ ରିକ୍ବେଷ୍ଟ ଫର୍ ପ୍ରପୋଜାଲ (RFP) ବା ଅନ୍ତର୍ଜାତୀୟ ଟେଣ୍ଡର କାର୍ଯ୍ୟ 2019 ଅକ୍ଟୋବର 15ରେ ସମାପିତ ହୋଇଛି ଏବଂ 2028 ସୁଦ୍ଧା ଟନେଲ ନିର୍ମାଣ କାର୍ଯ୍ୟ ସଂପନ୍ନ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି ।
ଗତ ବର୍ଷ, ଏକ ସଂସଦୀୟ କମିଟି ଆଗରେ ବର୍ଡର ରୋଡ୍ସ ଅର୍ଗାନାଇଜେସନ୍ (BRO) ପକ୍ଷରୁ ଏହି ଟନେଲ ପ୍ରକଳ୍ପ ସଂପର୍କିତ ଏକ ପାୱାର-ପଏଣ୍ଟ ପ୍ରେଜେଣ୍ଟେସନ୍ କରାଯାଇଥିଲା । ପାହାଡ଼ ପର୍ବତରେ ଭର୍ତ୍ତି ଅରୁଣାଚଳ ପ୍ରଦେଶ ଉତ୍ତର ପୂର୍ବାଞ୍ଚଳର ବୃହତ୍ତମ ରାଜ୍ୟ ଏବଂ ତିବ୍ବତ ଅଟୋନୋମସ୍ ରିଜିଅନ୍ (TAR) ସହ ସଂଲଗ୍ନ ରାଜ୍ୟର ସୀମା 1,126 କିଲୋମିଟର ଲମ୍ବା । ଚୀନ ଏହି ରାଜ୍ୟ ଉପରେ ନିଜର ଆଧିପତ୍ୟ ଜାହିର କରିବା ସହିତ ଏହାକୁ ‘ଦକ୍ଷିଣ ତିବ୍ବତ’ ରୂପେ ଅଭିହିତ କରିଆସୁଛି । ବିଶାଳ ଆକାର ଏବଂ ଭୟଙ୍କର ବନ୍ୟାର ପ୍ରକୋପ ଯୋଗୁଁ ସୁପରିଚିତ ବ୍ରହ୍ମପୁତ୍ର ନଦୀ ଉପରେ ଦକ୍ଷିଣ ଆସାମ ସହିତ ଉତ୍ତର ଆସାମକୁ ସଂଯୋଗ କରିବା ଲାଗି ଛଅଟି ପୋଲ ରହିଛି । କିନ୍ତୁ ଚୀନ ସହିତ ଯୁଦ୍ଧ ଲାଗିଲେ ଏହି ପୋଲଗୁଡ଼ିକୁ ହିଁ ସେମାନେ ପ୍ରଥମେ ଲକ୍ଷ୍ୟ କରିବେ ।