ହାଇଦ୍ରାବାଦ: ବିଜେପିର ନୂତନ କାର୍ଯ୍ୟକର୍ତ୍ତା ଘୋଷଣା କରିଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏହି ନୂତନ କମିଟିରେ ନଡ୍ଡା 12 ଜଣ ଉପ-ସଭାପତି, 8 ଜଣ ସାଧାରଣ ସଂପାଦକଙ୍କୁ ନିଯୁକ୍ତି କରିଛନ୍ତି । ସେହିପରି ନୂତନ କମିଟିରେ 23 ଜଣ ମୁଖପାତ୍ରଙ୍କୁ ନିଯୁକ୍ତ କରିଛନ୍ତି ନଡ୍ଡା । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଘୋଷଣା କରିଥିବା ନୂତନ କାର୍ଯ୍ୟକର୍ତ୍ତା କମିଟିରେ ଓଡିଶାରୁ 4 ଜଣ ନେତାଙ୍କୁ ସାମିଲ କରାଯାଇଛି ।
ପୂର୍ବପରି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦ ବଜାୟ ରଖିଛନ୍ତି ବୈଜୟନ୍ତ ପଣ୍ଡା । ସେହିପରି ମୁଖପାତ୍ର ଥିବା ସମ୍ବିତ ପାତ୍ର ମଧ୍ୟ ମୁଖପାତ୍ର ପଦବୀ ବଜାୟ ରଖିଛନ୍ତି । ଅନ୍ୟପଟେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ, ମୟୂରଭଞ୍ଜ ସାଂସଦ ବିଶେଶ୍ବର ଟୁଡୁଙ୍କୁ ଜାତୀୟ ସାଧାରଣ ସଂପାଦକ ଭାବେ ନଡ୍ଡା ନୂଆ ଟିମରେ ସାମିଲ କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଉପ ସଭାପତି ତାଲିକାରେ ରମଣ ସିଂ, ବସୁନ୍ଧରା ରାଜେ, ରଘୁବର ଦାସ, ମୁକୁଲ ରାୟ ଏବଂ ରାଧା ମୋହନ ସିଂ ରହିଛନ୍ତି ।
ଦଳ ଜଣେ ମହାମନ୍ତ୍ରୀ ନିଯୁକ୍ତ କରିଥିବା ବେଳେ ତିନି ଜଣ ସହ ସଂଗଠକ ଏବଂ 13 ଜଣ ରାଷ୍ଟୀୟ ମନ୍ତ୍ରୀ ନିଯୁକ୍ତି କରିଛନ୍ତି ।
ଆଗକୁ ବିହାର ନିର୍ବାଚନ ଏବଂ ପଶ୍ଚିମବଙ୍ଗ ନିର୍ବାଚନ ଥିବାବେଳେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିଯୁକ୍ତ କରିଥିବା ନୂତନ ଟିମକୁ ନେଇ ଚର୍ଚ୍ଚା ଜୋର ଧରିଛି । ସେପଟେ ନବ ନିର୍ଯୁକ୍ତ କର୍ମକର୍ତ୍ତାଙ୍କୁ ଶୁଭେଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ