ନୂଆଦିଲ୍ଲୀ: ସିଏଏକୁ ନେଇ ବିଜେପି ସାଂସଦଙ୍କ ଚେତାବନୀ । ଆଇନକୁ ବିରୋଧ କଲେ ଲାଗୁ ହେବ ରାଷ୍ଟ୍ରପତି ଶାସନ । ପୂର୍ବରୁ ନାଗରିକତା ସଂଶୋଧନ ଆଇନକୁ ନେଇ ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି ହୋଇଛି । ଯାହାକୁ ନେଇ ଘର ଘର ବୁଲି ଲୋକଙ୍କୁ ବୁଝାଇବାକୁ ଅଣ୍ଟାଭିଡିଛି ବିଜେପି । ସେପଟେ ମଧ୍ୟପ୍ରଦେଶ ହୋସଙ୍ଗବାଦ ବିଜେପି ସାଂସଦ ଉଦୟ ପ୍ରତାପ ସିଂ ସମସ୍ତ ରାଜ୍ୟକୁ ଏବେ ଚେତାବନୀ ଦେଇଛନ୍ତି । ସମସ୍ତ ରାଜ୍ୟ ଓ ପ୍ରତ୍ୟେକ ନାଗରିକ ଏହି ଆଇନ ମାନିବାକୁ ବାଧ୍ୟ କାରଣ ଏହି ଆଇନ ସଂସଦରେ ପାସ ହୋଇସାରିଛି । ଯଦି, କେହି ଏହାକୁ ପାଳନ କରିବେ ନାହିଁ ତେବେ ସେହି ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରାଯିବ ବୋଲି କହିଛନ୍ତି ସାଂସଦ ।
ସେ ଆହୁରି କହିଛନ୍ତି, ଆମ ଦେଶରେ ଗଣତନ୍ତ୍ର ଶାସନ ଲାଗୁ ରହିଛି । ଯେଉଁଠି ଉଭୟ ଲୋକସଭା ଓ ରାଜ୍ୟସଭାରେ ଏହି ପ୍ରସ୍ତାବ ପାସ ହୋଇଛି । ଆଉ ଯେଉଁମାନେ ଏହାକୁ ବିରୋଧ କରୁଛନ୍ତି, ସେମାନେ ସଂସଦରେ ଉପସ୍ଥିତ ଥିଲେ । ସେମାନଙ୍କୁ ଅଳ୍ପ ମତଦାନ ମିଳିବାରୁ ପରାଜିତ ହୋଇଛନ୍ତି । ଏବଂ ସେମାନଙ୍କୁ ପୁରା ଅଧିକାରୀ ମିଳିଥିଲା ସେଠାରେ ନିଜ ପକ୍ଷ ରଖିବାକୁ । ଏଥିସହ ମତଦାନ ମଧ୍ୟରେ ସାମିଲ କରାଯାଇଥିଲା । ଯାହା ପରେ ଏହି ପ୍ରସ୍ତାବକୁ ପାରିତ କରାଯାଇଛି । ଦେଶର ସମ୍ବିଧାନରେ ସଂଶୋଧନ କରାଯାଇ ଆଇନରେ ପ୍ରଣୟନ ହୋଇଛି । ଏହି ଆଇନକୁ ପାଳନ କରିବାକୁ ସମସ୍ତ ରାଜ୍ୟ ବାଧ୍ୟ । ଯଦି ଏହି ଆଇନକୁ ମାନିବାକୁ ପ୍ରସ୍ତୁତ ନୁହଁନ୍ତି ତେବେ ସେଠାରେ ରାଷ୍ଟ୍ରପତି ଶାସନ ଲାଗୁ କରାଯିବ ।
ବିଭିନ୍ନ ସମୟରେ ଦେଶରେ ଧାରା 356 ଲାଗୁ ହୋଇଛି । ଯଦି ଭାରତ ସରକାରଙ୍କ ଦ୍ବାରା ଏହି ଆଇନ ଲାଗୁ ହୋଇଛି ତେବେ ସ୍ବାଭାବିକ ଭାବେ ସମସ୍ତେ ଏହି ନିୟମ ପାଳନ କରିବାକୁ ବାଧ୍ୟ । ଆଉ ଯଦି ଆବଶ୍ୟକ ପଡେ ରାଜ୍ୟ ସରକାରକୁ ଭଙ୍ଗ କରି ଦେଶର ଆଇନ ସ୍ଥାପନା କରାଯିବ ବୋଲି କହିଛନ୍ତି ସାଂସଦ ଉଦୟ ପ୍ରତାପ ସିଂ ।ସୂଚନାଯୋଗ୍ୟ, ଏହି ଆଇନକୁ ପଶ୍ଚିମବଙ୍ଗରେ ଜୋରଦାର ବିରୋଧ ପ୍ରଦର୍ଶନ କରାଯାଉଛି । ଏପରିକି 'ମରି ଯିବି ପଛେ ଏହି ଆଇନକୁ ଲାଗୁ କରିବୁ ନାହିଁ' ବୋଲି କଡା ଚେତାବନୀ ଦେଇଛନ୍ତି ମମତା ବାନାର୍ଜୀ । ସେହିପରି ସିଏଏକୁ ବିରୋଧ କରି କେରଳ ବିଧାନସଭାରେ ମଧ୍ୟ ଏକ ପ୍ରସ୍ତାବ ପାରିତ ହୋଇସାରିଛି ।