ପାଟନା: ବିହାର ବିଧାନସଭା ନିର୍ବାଚନକୁ ଆଉ ଅଳ୍ପ ଦିନ ବାକିଥିବା ବେଳେ ସରୁନି ଦଳ ଡିଆଁ ପର୍ବ । ଏହି ମଧ୍ୟରେ ସରିଛି ଟିକଟ ଭାଗବାଣ୍ଟ । ହେଲେ ଯେଉଁମାନଙ୍କୁ ଟିକଟ ମିଳିନି ସେମାନେ ଅସନ୍ତୋଷ ପ୍ରକାଶ କରିବା ସହ ଦଳ ଛାଡୁଛନ୍ତି । ଏହିକ୍ରମରେ ନୋଖା ବିଧାନସଭା ଆସନରୁ ଟିକଟ କଟିବା ପରେ ବିଜେପିର ବରିଷ୍ଠ ଓ ପ୍ରଭାବଶାଳୀ ନେତା ରାମେଶ୍ବର ଚୌରସିୟା ଦଳ ସହ ବିଦ୍ରୋହ କରି ଏଲଜେପିର ହାତ ଧରିଛନ୍ତି ।
ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ନେତୃତ୍ବକୁ ବିରୋଧ କରି ଏକାକି ନିର୍ବାଚନ ଲଢିବାକୁ ଘୋଷଣା କରିଛି ଏଲଜେପି । ତେବେ ମଙ୍ଗଳବାର ଜାରି ହୋଇଥିବା ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ରାମେଶ୍ବରଙ୍କ ଟିକଟ କାଟିଦେଇଛି ଦଳ, ଯାହାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରି ଏଲଜେପିରେ ସାମିଲ ହୋଇଛନ୍ତି ।
ଏନଡିଏରୁ ଅଲଗା ହେବା ପରେ ଏଲଜେପି ସୁପ୍ରିମୋ ଚିରାଗ ପାସୱାନ ନିଜ ଦଳରେ ଅନ୍ୟ ଦଳର ନେତାଙ୍କୁ ମିଶ୍ରଣ କରିବାରେ ବ୍ୟସ୍ତ ଅଛନ୍ତି । ଜେଡିୟୁ ଏବଂ ବିଜେପି ମେଣ୍ଟରେ ଯେଉଁମାନଙ୍କର ଏଥର ଟିକଟ କଟାଯାଇଛି ସେମାନଙ୍କୁ ନିଜ ଦଳରେ ସାମିଲ କରାଇବାକୁ ପ୍ରୟାସ କରୁଛନ୍ତି ଚିରାଗ ।