କୋଲକାତା: ବିଗତ କିଛି ଦିନରେ ବିଜେପି ସରକାର ଦ୍ବାରା ନିଆଯାଇଥିବା କିଛି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପକୁ ନେଇ ବିରୋଧୀ ଦଳ ତୀବ୍ର ସମାଲୋଚନା କରୁଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ କେନ୍ଦ୍ର ସରକାରଙ୍କୁ ତୀବ୍ର ନିନ୍ଦା କରୁଛନ୍ତି । ତାଙ୍କ କହିବା କଥା ହେଲା କେନ୍ଦ୍ର ସରକାରଙ୍କ ଏଜେଣ୍ଡା ଆର୍ଥିକ ବିକାଶ ଉପରୁ ସମ୍ପୂର୍ଣ୍ଣ ଭାବେ ହଟିଯାଇ ରାଜନୀତି ଆଡେ ଗତି କରୁଛି ।
ଦିଦି ଫେସବୁକରେ ପୋଷ୍ଟ କରି କହିଛନ୍ତି, ‘2019 ଜୁନ ଶେଷ ତଥା ଗତ 3 ମାସ ମଧ୍ୟରେ ନୂତନ ପରିଯୋଜନାରେ ନିବେଶ କରିବା ସବୁଠାରୁ ତଳ ସ୍ତରରେ ଚାଲିଛି । କହିବାକୁ ଗଲେ ଗତ 15 ବର୍ଷ ମଧ୍ୟରେ ଚଳିତ ବର୍ଷ ସବୁଠାରୁ କମ ପରିଯୋଜନା ହୋଇଛି । 2019 ମାର୍ଚ୍ଚରେ ଘୋଷଣା କରାଯାଇଥିବା ନୂତନ ପରିଯୋଜନା ତୁଳନାରେ 2019 ଜୁନରେ ଘୋଷଣା କରାଯାଇଥିବା ନୂତନ ପରିଯୋଜନାରେ 81 ପ୍ରତିଶତ କମ ରହିଛି । ଯଦି ଗତ ବର୍ଷକୁ ତୁଳନା କରାଯାଏ ତେବେ ଏହା 87 ପ୍ରତିଶତ କମ ରହିଛି । ’
ମମତା ପୁଣି କହିଛନ୍ତି କି, ‘ଦେଶର ସମସ୍ତ ନାଗରିକ ଦେଖିପାରୁଥିବେ ଆମ ଦେଶ କେଉଁ ସ୍ତରରେ ଅଛି । ଏହି ବିଷୟରେ ସଭିଏଁ ତୃଣମୂଳ ସ୍ତରରେ ଅବଗତ ରହିବା ଦରକାର । ସରକାରଙ୍କ ମୂଳଲକ୍ଷ୍ୟ ଅର୍ଥ ବ୍ୟବସ୍ଥା ଓ ବିକାଶ ଉପରୁ ବିଭ୍ରାନ୍ତ ହୋଇ ଏବେ କେବଳ ରାଜନୀତି ପର୍ଯ୍ୟନ୍ତ ସୀମିତ ହୋଇ ସାରିଲାଣି ।’
ବିଜେପି ସରକାର ପ୍ରତି ଏଭଳି ମନ୍ତବ୍ୟ ଦେବା ସହ ମମତା ଅଟୋମୋବାଇଲ ଓ ଚମଡା ସେକ୍ଟରରେ ନିକଟରେ ରୋଜଗାର ହରାଇଥିବା ବ୍ୟକ୍ତିମାନଙ୍କ ପାଇଁ ଦୁଃଖ ପ୍ରକାଶ କରିଥିଲେ । ସେ କହିଛନ୍ତି କି ‘ରୋଜଗାର ପାଇଁ ନୂଆ ପନ୍ଥା ଯୋଗାଇବାର ପ୍ରତିଶୃତି ଦେଇ ସରକାର ଗାଦି ହାତେଇଥିଲା । ହେଲେ ଏବେ ସ୍ଥିତି ଓଲଟା । ଚାକିରି ପାଇବା ଦୂର କଥା, ଯାହା ପାଖରେ ଚାକିରି ଅଛି ସେ ବି ଚାଲି ଯାଉଛି । ’