ନୂଆଦିଲ୍ଲୀ: ଆଜି ସଂସଦର ମୌସୁମୀ ଅଧିବେଶନ ଅଷ୍ଟମ ଦିନରେ ପହଞ୍ଚିଛି । ସକାଳ 9ଟାରୁ ଆରମ୍ଭ ହୋଇଛି ଗୃହକାର୍ଯ୍ୟ । ରାଜ୍ୟସଭାରେ ଶୂନ୍ୟକାଳ ନୋଟିସ ଆଣିଛି ବିଜେଡି । ପାରାଦୀପ ବନ୍ଦରକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ କରିବାକୁ ଦଳ ପକ୍ଷରୁ ଦାବି ରଖିଲେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ।
ସେପଟେ, ଆଜି ରାଜ୍ୟସଭାରେ ବିରୋଧୀ ସାଂସଦଙ୍କ ଉତ୍ତେଜନା ପ୍ରସଙ୍ଗ ଉଠିପାରେ। ସଭାପତି ହଙ୍ଗାମା କରୁଥିବା ସାଂସଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି । ବିରୋଧୀ ସାଂସଦ ଉପାଧ୍ୟକ୍ଷଙ୍କ ବିରୋଧରେ ଅବିଶ୍ବାସ ପ୍ରସ୍ତାବ ଆଣିବେ ।
ସୂଚନାଯୋଗ୍ୟ, ରବିବାର ରାଜ୍ୟସଭାରେ 2ଟି କୃଷି ବିଲ ପାରିତ ହୋଇଯାଇଛି । ଏହି ବିଲ୍କୁ ବିଜେଡି ପକ୍ଷରୁ ବିରୋଧ କରାଯାଇଥିଲା । ବିଲକୁ ସିଲେକ୍ଟ କମିଟିକୁ ପଠାଇବାକୁ ଦଳ ପକ୍ଷରୁ ଦାବି କରିଥିଲେ। ଟିଏମସି ସାଂସଦ ନିୟମ ପୁସ୍ତକ ଚିରିଦେଲେ। ଗୃହର ମଧ୍ୟଭାଗକୁ ଆସି ମାଇକ୍ ମଧ୍ୟ ଭାଙ୍ଗିଦେଇଥିଲେ । ସାଂସଦଙ୍କ ଏହି କାର୍ଯ୍ୟକୁ ନେଇ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ।