ହାଇଦ୍ରାବାଦ: ଜନ୍ମଦିନ ନୁହଁ କାଳର ଦିନ । ବର୍ଥ ଡେ ସେଲିବ୍ରେସନ ଚାଲିଥିବାବେଳେ କେକ୍ ଖାଇ ବାପା ଓ ପୁଅର ମୃତ୍ୟୁ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ତେଲେଙ୍ଗାନା ସିଦ୍ଦିପେଟ ଜିଲ୍ଲାରେ । ସେପଟେ ସେହି କେକ୍ ଖାଇ ମା ଓ ଝିଅ ଗୁତୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସୂଚନା ରହିଛି ।
ସିଦ୍ଦିପେଟ ଜିଲ୍ଲାର କୋମାରେଭେଳି ଅଞ୍ଚଳରେ ଗତରାତିରେ ରାମଚରଣଙ୍କ ପୁଅ ରବିର ଖୁବ୍ ଧୁମ୍ଧାମ୍ ରେ ଜନ୍ମଦିନ ସେଲିବ୍ରେସନ ଚାଲିଥିଲା । କେକ୍ ମଧ୍ୟ କଟାଯାଇଥିଲା। ସେହି କେକ୍ ଖାଇ ହଠାତ୍ ଘଟଣାସ୍ଥଳରେ ବାପ-ପୁଅଙ୍କ ମୃତ୍ୟୁ ହୋଇଥିବାବେଳେ ମାଆ ଓ ଝିଅ ଅସୁସ୍ଥ ହୋଇପଡିଥିଲେ । କିଛି ସମୟ ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ନିକଟ ନିଲୋଫର୍ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।
ତେବେ ଅଭିଭାବକଙ୍କ କହିବାନୁଯାୟୀ କେକ୍ ଟି ରବିଙ୍କ ଦାଦା ବା ରାମଚରଣଙ୍କ ସାନ ଭାଇ ପଠାଇଥିଲେ । ତେବେ ସନ୍ଦେହ କରାଯାଉଛି ଯେ କେକ୍ ରେ ବିଷ ମିଶିଥିଲା । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡିଛି । ସେପଟେ ଏହି ଦୁଃଖଦ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।