ବାରିପଦା: ପେଶାରେ ସେ ଜଣେ ଟ୍ରାଫିକ ପୋଲିସ । ହେଲେ ନିଜର କର୍ତ୍ତବ୍ୟ ଭଳି ପ୍ରତିଦିନ ସେ ସ୍ଥାନୀୟ ପାରା ମାନଙ୍କୁ ଦିଅନ୍ତି ଖାଦ୍ୟ । ଆଉ ତାଙ୍କ ଭଲ ପାଇବାର ସ୍ବାଦ ଚାଖିବା ପରେ ଏଇ କଥା କହିପାରୁନଥିବା ପକ୍ଷୀ ତାଙ୍କ ଆସିବା ବାଟକୁ ପ୍ରତିଦିନ ଅନେଇ ବସିଥାନ୍ତି । ଆଉ ଏହି ପକ୍ଷୀ ପ୍ରେମୀ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ବାରିପଦାର ଟାଉନ ଥାନାର ଟ୍ରାଫିକ ପୋଲିସ ସୁରଜ କୁମାର ରାଜ ।
ସ୍ଥାନୀୟ ଅଞ୍ଚଳରେ ‘ବାର୍ଡମ୍ୟାନ’ ଭାବେ ପରିଚିତ ସୁରଜ । କାମକୁ ଆସିବା ବେଳକୁ ପ୍ରତିଦିନ ସେ ସାଥିରେ ନେଇ ଆସନ୍ତି ଖାଦ୍ୟ । ଦିନେ ନୁହେଁ ଦୁଇ ଦିନ ନୁହେଁ ଦୀର୍ଘ ଦଶ ବର୍ଷ ହେବ ସେ ପାରାଙ୍କୁ ଦେଉଛନ୍ତି ଖାଦ୍ୟ । ପ୍ରତିଦିନ ସୂର୍ଯ୍ୟ ଉଦୟ ହେଲେ ସୂରଜଙ୍କୁ ଅନେଇ ବସିଥାନ୍ତି ହଜାର ହଜାର ପାରା। ଆଉ ତାଙ୍କର ବାଇକ ଶବ୍ଦ ଶୁଣିଲେ ଉଡି ଆସି ତାଙ୍କ ଉପରେ ବସିଯାଆନ୍ତି । ଆଉ ଖାଦ୍ୟ ଖାଇଥାନ୍ତି।
ନିଜ କାମ ଭଳି ପାରାଙ୍କୁ ଖାଦ୍ୟ ଦେବା ମୋତେ ଖୁବ ଖୁସି ଦେଇଥାଏ ବୋଲି କହନ୍ତି ସୁରଜ । ମୁଁ ଭବିଷ୍ୟତରେ ମଧ୍ୟ ଏଭଳି ପାରାଙ୍କୁ ଖାଦ୍ୟ ଦେବି । କେବେଳ ଏତିକି ନୁହେଁ ରାସ୍ତାରେ ବୁଲୁଥିବା ଗାଈଙ୍କୁ ମଧ୍ୟ ଖାଇବାକୁ ଦିଅନ୍ତି ସେ । ବାରିପଦା ଏଏସପି ଅଭିମନ୍ୟୁ ନାୟଙ୍କ କହିବା ଅନୁସାରେ,ଆମେ ସୁରଜଙ୍କ କାମକୁ ନେଇ ଖୁବ ଗର୍ବିତ । ସେ ତାଙ୍କ କର୍ମରେ ମଧ୍ୟ ଖୁବ ସଚ୍ଚୋଟ ଏବଂ ସମୟାନୁବର୍ତ୍ତୀ ।