ନୂଆଦିଲ୍ଲୀ: ମହାମାରୀ ସଙ୍କଟ ମଧ୍ୟରେ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ । କୋଭିଡ ସ୍ଥିତିରେ ଦେଶରେ ଦେଖାଦେଇଥିବା ଆର୍ଥିକ ସଙ୍କଟର ମୁକାବିଲା ପାଇଁ ପାଣ୍ଠି ଯୋଗାଡ କରିବାକୁ ପ୍ରୟାସ କରୁଛନ୍ତି କେନ୍ଦ୍ର ସରକାର । ଏପରିସ୍ଥିତିରେ ସମସ୍ତ ସାଂସଦଙ୍କର ମାସିକ ଦରମାକୁ 30 ପ୍ରତିଶତ ହ୍ରାସ ପାଇଁ ସରକାରଙ୍କ ପ୍ରସ୍ତାବିତ ବିଲକୁ ଗୃହରେ ଆଗତ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ।
ସଂସଦର ସଦସ୍ୟମାନଙ୍କ ଦରମା, ଭତ୍ତା ଏବଂ ପେନ୍ସନ୍ (ସଂଶୋଧନ) ଅଧିନିୟମକୁ ବଦଳାଇବା ପାଇଁ ଏହି ବିଲ୍ ଆଗତ କରାଯାଇଛି । ଏହି ଅଧିନିୟମକୁ ଏପ୍ରିଲ 6ରେ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଥିଲା ।
COVID-19 ମହାମାରୀ ଯୋଗୁ ହୋଇଥିବା ଆର୍ଥିକ କ୍ଷତିର ଭରଣା କରିବା ପାଇଁ ଏକ ବର୍ଷ ପାଇଁ ସଂସଦର ସଦସ୍ୟଙ୍କ ଦରମା 30% ହ୍ରାସ କରିବାକୁ ଏକ ଆଇନରେ ସଂଶୋଧନ ଆଣିବା ପାଇଁ ଏହି ଅଧିନିୟମ ଅଣାଯାଇଥିଲା । କରୋନା ମହାମାରୀ ନେଇ ଶୀଘ୍ର ରିଲିଫ ଏବଂ ସହାୟତାର ଗୁରୁତ୍ବକୁ ଦୃଷ୍ଟିରେ ରଖି ଏହି ମହାମାରୀର ବିସ୍ତାରକୁ ରୋକିବା ପାଇଁ କିଛି ଜରୁରୀକାଳୀନ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ଏହି ଅଧିନିୟମରେ ଦର୍ଶାଯାଇଛି ।