ଭୋପାଳ: ଝିମିଟି ଖେଳରୁ ମହାଭାରତ ଘଟିବା ଭଳି ଘରୋଇ ଲୁଡୁ ଖେଳ ବର୍ତ୍ତମାନ କୋର୍ଟରେ ପହଞ୍ଚିଛି । ଭୋପାଳ ଅଧିବାସୀ 24 ବର୍ଷର ଜଣେ ଝିଅ ଲୁଡୁ ଖେଳରେ ବାପାଙ୍କଠାରୁ ବାରମ୍ବାର ହାରିବା ପରେ ବିରକ୍ତିଭାବ ପ୍ରକାଶ କରି ଘରୋଇ କୋର୍ଟରେ ପହଞ୍ଚି ବାପାଙ୍କ ବିରୋଧରେ ଅଭିଯୋଗ ଆଣିଛି ।
ତାଲାବନ୍ଦ ସମୟରେ ମଧ୍ୟପ୍ରଦେଶ ଭୋପାଳରେ ଜଣେ ଝିଅ ନିଜ ଭାଇ ଭଉଣୀ ଓ ବାପାଙ୍କ ସହ ଲୁଡୁ ଖେଳିବା ବେଳେ ବାପାଙ୍କଠାରୁ ବାରମ୍ବାର ହାରିଥିଲେ । ଝିଅର ଲୁ଼ଡୁ ଦାନକୁ ବାପା ଖେଳ ମଧ୍ୟରେ 7ଥର ମାରିଥିଲେ । ଏଥିରେ ଝିଅଟି ବିରକ୍ତିଭାବ ପ୍ରକାଶ କରିଥିଲା । "ମୁଁ ମୋ ବାପାଙ୍କୁ ବହୁତ ବିଶ୍ବାସ କରେ ଓ କେବେ ତାଙ୍କଠାରୁ ଏହା ଆଶା କରିନଥିଲି । ବାପା ମୋତେ ବହୁତ ଭଲ ପା'ନ୍ତି, ଏଣୁ ସେ ମୋ ଲୁଡୁ ଦାନକୁ ମାରିବା ଉଚିତ ନ ଥିଲା । ବାପା ମୋ ଦାନକୁ 7ଥର ମାରିବା ପରେ ତାଙ୍କ ପାଇଁ ମୋ ମନରେ ବିରକ୍ତିଭାବ ଅଧିକ ବଢିଥିଲା । " ବୋଲି କୋର୍ଟରେ ଝିଅ କହିଥିଲା । ଏହା ଦ୍ବାରା ତା' ବାପାଙ୍କ ଉପରେ ତା'ର ବିଶ୍ବାସ ଭାଙ୍ଗିଯାଇଛି କହି କୋର୍ଟରେ ଅଭିଯୋଗ କରିଥିଲା ।
ଏହି ଘରୋଇ ଅଭିଯୋଗର ସମାଧାନ ପାଇଁ ଝିଅକୁ 4ଥର କୋର୍ଟକୁ ଡକା ଯାଇଛି । ଝିଅଟି ପରିବାର କୋର୍ଟ କାଉନସେଲର ସହିତ ଆଲୋଚନା ପରେ ସମସ୍ୟାରେ ଉନ୍ନତି ଘଟିଛି । ଆମେ ଏକ ସକରାତ୍ମକ ସମାଧାନ ପାଇଁ ଚେଷ୍ଚା କରୁଛୁ ବୋଲି ପରିବାର କୋର୍ଟ କାଉନସେଲର ସରିତା ରଜନୀ କହିଛନ୍ତି ।
ଆଜିକାଲିର ପିଲାମାନେ ପରିବାରଠାରୁ ବହୁତ ଆଶା କରୁଛନ୍ତି, ଯଦି କୌଣସି କାରଣରୁ ସେମାନଙ୍କ ଆଶା କ୍ଷୁଣ୍ଣ ହେଉଛି କିମ୍ବା କୌଣସି କ୍ଷେତ୍ରରେ ସେମାନଙ୍କର ପରାଜୟ ହେଉଛି ତାହାକୁ ମଧ୍ୟ ସେମାନେ ସହ୍ୟ କରୁ ନାହାନ୍ତି , ଏହି କାରଣରୁ ଏଭଳି ଅଭିଯୋଗ ସାମନାକୁ ଆସୁଛି ବୋଲି ସରିତା ରଜାନୀ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ