ନୂଆଦିଲ୍ଲୀ: ଅର୍ଥ ବ୍ୟବସ୍ଥାରେ ମାନ୍ଦାସ୍ଥିତିକୁ ନେଇ ଭାରତୀୟ ଜାତୀୟ କଂଗ୍ରେସ ଦେଶ ସହ ବିଦେଶରେ ବି ମୋଦି ସରକାରକୁ ଘେରିବାକୁ ଯାଉଛି । ଗୋଟିଏ ପକ୍ଷେ ଶନିବାର ଦିଲ୍ଲୀର ରାମଲୀଲା ମୈଦାନରେ କଂଗ୍ରେସର 'ଭାରତ ବଚାଓ ରାଲି' ଥିବା ବେଳେ ଅନ୍ୟପକ୍ଷେ ଏହି ରାଲିର ସମର୍ଥନରେ ଓଭରସିଜ କଂଗ୍ରେସ ବିଦେଶରେ ଥିବା ଭାରତୀୟ ଦୂତାବାସରେ ପ୍ରଦର୍ଶନ କରିବ ।
କଂଗ୍ରେସ ପାର୍ଟିର ବୈଦେଶିକ ମାମଲାରେ ଥିବା ବିଭାଗ ଓଭରସିଜ କଂଗ୍ରେସ ପକ୍ଷରୁ ଆମେରିକାରୁ ନେଇ ସାଉଦି ଆରବ ପର୍ଯ୍ୟନ୍ତ ଭାରତୀୟ ଦୂତାବାସରେ ସମର୍ଥକମାନେ ପ୍ରଦର୍ଶନ କରିବେ । ଏହାସହ ଦେଶର ଅର୍ଥବ୍ୟବସ୍ଥାରେ ମାନ୍ଦାସ୍ଥିତିକୁ ନେଇ ସରକରକୁ କଂଗ୍ରେସକର୍ମୀ ଟାର୍ଗେଟ କରିବେ ବୋଲି ଜଣାପଡିଛି । ସାମ୍ ପିଟ୍ରୋଡା ଏବେ ଓଭରସିଜ କଂଗ୍ରେସର ମୁଖ୍ୟ ଅଛନ୍ତି ।
କେଉଁଠି-କେଉଁଠି ହେବ ପ୍ରଦର୍ଶନ?
ଓଭରସିଜ କଂଗ୍ରେସର କାର୍ଯ୍ୟକ୍ରମ ଅନୁସାରେ ଆମେରିକାର ନ୍ୟୁୟର୍କରେ ଥିବା ଭାରତୀୟ ଦୂତାବାସ ଆଗରେ ପ୍ରଦର୍ଶନ କରାଯିବ । ଲଣ୍ଡନସ୍ଥିତ ଭାରତୀୟ ଦୂତାବାସ ବାହାରେ ଦିନ 3ଟାରେ ପ୍ରଦର୍ଶନ ହେବ । ସେହିପରି 14 ଡିସେମ୍ବର ଦିନ 12ଟାରେ ଅଷ୍ଟ୍ରେଲିଆ, ସିଡନି ଓ ମେଲବର୍ଣ୍ଣ, ନ୍ୟୁଜିଲାଣ୍ଡ, ଜର୍ମାନୀ, ସାଉଦିଆରବରେ ପ୍ରଦର୍ଶନ ହେବ ।