ବେଙ୍ଗାଲୁରୁ: ଦେଶରେ କୋରୋନା ଭାଇରସ ମାମଲା ଥମିବାର ନାଁ ନେଉନାହିଁ । କୋରୋନାକୁ ମାତ ଦେବାରେ କୋରୋନା ଯୋଦ୍ଧାମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି । ବେଙ୍ଗାଲୁରୁର ଭିକ୍ଟୋରିଆ ହସ୍ପିଟାଲର ଡାକ୍ତରମାନେ ଚାପ ହ୍ରାସ କରିବାର ଏକ ନିଆରା ଉପାୟ ପାଇଛନ୍ତି। ଡାକ୍ତରମାନେ ପୁରୁଣା ହିନ୍ଦୀ ଗୀତରେ ନାଚୁଛନ୍ତି, କର୍ମଚାରୀଙ୍କ ପାଇଁ ରୋଷେଇ କରୁଛନ୍ତି । ରୋଗୀଙ୍କ ପାଇଁ ମେହେନ୍ଦୀ ଓ ଚିତ୍ରାଙ୍କନ ପ୍ରତିଯୋଗିତା କରୁଛନ୍ତି । ତେବେ ଡାକ୍ତରଙ୍କ ନାଚର 46 ସେକେଣ୍ଡର ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ ସମସ୍ତ ଡାକ୍ତର ପିପିଇ କିଟ ପିନ୍ଧିଥିବାର ନଜର ଆସିଛନ୍ତି ଏବଂ ସେମାନେ 'ଲିଖେ ଜୋ ଖତ ତୁଜେ' ଗୀତରେ ନାଚୁଛନ୍ତି ।
କୋରୋନା ସଂକ୍ରମିତଙ୍କ ଚିକିତ୍ସା କରୁଥିବା ଭିକ୍ଟୋରିଆ ହସ୍ପିଟାଲର ଡାକ୍ତରମାନେ ଗତ 7 ଦିନ ଧରି ଡାକ୍ତରଖାନା ପରିସରରେ ରହିଆସୁଛନ୍ତି । ଡାକ୍ତରମାନେ ନିଜକୁ ଚାପରୁ ଦୂରେଇ ରଖିବା ସହିତ କୋରୋନା ଆକ୍ରାନ୍ତଙ୍କୁ ସାହାଯ୍ୟ କରୁଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରେ 18 ଜଣ ଶିଶୁ ଅଛନ୍ତି । ଡାକ୍ତରମାନେ ପିଲାମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟକଳାପ କରୁଛନ୍ତି ଯାହା ଦ୍ବାରା ସେମାନଙ୍କର ଧ୍ୟାନ ଏହି ରୋଗ ଉପରେ କମ ରହିବ ।
ଡାକ୍ତର ଆସମା ବାନୁ କହିଛନ୍ତି, 'ଆମେ ମହିଳା ରୋଗୀଙ୍କ ପାଇଁ ଏକ ମେହେନ୍ଦୀ ପ୍ରତିଯୋଗିତା କରୁଛୁ । ପିଲାମାନଙ୍କ ପାଇଁ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଛି । ଏଥିରେ ବିଜେତାଙ୍କୁ ପୁରସ୍କାର ମଧ୍ୟ ଦିଆଯାଉଛି । ଅଧିକାଂଶ ପିଲା ଚକୋଲେଟ ଏବଂ କ୍ୟାରମ ବୋର୍ଡ ଦାବି କରୁଥିଲେ । ମୁଁ ଡାକ୍ତର ବାଲାଜୀ ପାଏଙ୍କ ସହ ମିଶି ଆମ ମାନଙ୍କ ପାଇଁ ଏବଂ ସମସ୍ତ କର୍ମଚାରୀଙ୍କ ପାଇଁ ଖାଦ୍ୟ ମଧ୍ୟ ପ୍ରସ୍ତୁତ କରୁଛୁ ।
ଡାକ୍ତରଙ୍କ ନାଚିବାର ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବା ପରେ ଏହାକୁ ଚାରିଆଡୁ ବହୁତ ପ୍ରଶଂସା ମିଳିଛି ।