କୋଲକାତା: ଲକଡାଉନ ଯୋଗୁଁ ବିଭିନ୍ନ ରାଜ୍ୟରେ ଫସି ରହିଛନ୍ତି ଅନେକ ପ୍ରବାସୀ ଶ୍ରମିକ । କିଏ ଘରକୁ ଫେରିପାରୁନି ତ କିଏ ଚାଲି ଚାଲି କିମ୍ବା ସାଇକେଲରେ ଫେରୁଛି । ଦିଲ୍ଲୀ, ମୁମ୍ବାଇରେ ଶ୍ରମିକଙ୍କ ଅବସ୍ଥା ସାରା ଦେଶ ଦେଖିଛି । ଏହି ଅବସରରେ ପଶ୍ଚିମବଙ୍ଗକୁ 500 କିଲୋମିଟର ଚାଲି ଚାଲି ଫେରିଛନ୍ତି 11 ଶ୍ରମିକ ।
ପୋଲିସ ସୂଚନାନୁସାରେ ମୁର୍ଶିଦାବାଦ ଓ ବୀରଭୂମ ଜିଲ୍ଲାର 11 ଶ୍ରମିକ ଓଡିଶାରେ କାମ କରୁଥିଲେ । ଲକଡାଉନ ଯୋଗୁଁ ସେମାନେ ଘରକୁ ଫେରିପାରିନଥିଲେ । ହେଲେ ଚଳିବା ପାଇଁ ସମସ୍ୟା ଦେଖାଦେବାରୁ ଘରକୁ ଫେରିବାର ନିଷ୍ପତ୍ତି ନେଇଥିଲେ । ସେମାନେ ପୁରୀରେ କଣ୍ଟ୍ରାକ୍ଟର ପାଖରେ କାମ କରୁଥିଲେ । ହେଲେ କେହି ଠିକାଦାର ସେମାନଙ୍କ କଥା ବୁଝିନଥିଲେ । ଗମନାଗମନର ସୁବିଧା ନଥିବାରୁ ଚାଲି ଚାଲି ଫେରିବାକୁ ନିଷ୍ପତ୍ତି ନେଇଥିଲେ । ଏପ୍ରିଲ 11ରୁ ସେମାନେ ଓଡିଶା ଛାଡିଥିଲେ ।
60 ନମ୍ବର ଜାତୀୟ ରାଜପଥରେ 10 ଦିନ 300 କିଲୋମିଟର ଚାଲିବା ପରେ ସେମାନେ ଓଡିଶା-ବେଙ୍ଗଲ ସୀମାରେ ଖଡଗପୁରରେ ପହଞ୍ଚିଥିଲେ । ଏହାପରେ ଆଉ 200 କିଲୋମିଟର ଚାଲି ସେମାନେ ହୁଗୁଲି ପାର କରିଥିଲେ । ତେବେ ଘରଠାରୁ ପ୍ରାୟ ଆଉ 200 କିଲୋମିଟର ଦୂରରେ ସେମାନଙ୍କୁ ନଦିଆ ଜିଲ୍ଲାରେ ପୋଲିସ ଅଟକାଇଥିଲା । ବାହାର ରାଜ୍ୟରୁ ଆସିଥିବାରୁ ପୋଲିସ ସେମାନଙ୍କୁ ହରିଣଘାଟ ବ୍ଲକରେ କ୍ବାରେନଣ୍ଟାଇନରେ ରଖିଛି । ସେମାନଙ୍କୁ ଘରକୁ ଫେରିବାର ସମସ୍ତ ବ୍ୟବସ୍ଥା ଯୋଗାଇ ଦିଆଯିବ ବୋଲି ପ୍ରଶାସନ ସୂଚନା ଦେଇଛି । ତେବେ ନିୟମ ଅନୁସାରେ ପ୍ରଥମେ ସେମାନେ କ୍ବାରେନଣ୍ଟାଇନ ପିରିୟଡରେ ରହିବେ । ସମସ୍ତ ପ୍ରକାର ମେଡିକାଲ ଟେଷ୍ଟ ପରେ ଡାକ୍ତରଙ୍କ ଅନୁମତି ନେଇ ସେମାନଙ୍କୁ ଘରକୁ ପଠାଯିବ ।
ତେବେ ଅର୍ଥାଭାବ ଦେଖାଦେବାରୁ ସେମାନେ ଫେରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି । ସେମାନେ ଯାହା ପାଖରେ କାମ କରୁଥିଲେ କେହି ବି ତାଙ୍କ କଥା ବୁଝିନଥିଲେ । ଖାଦ୍ୟପେୟର ଅବ୍ୟବସ୍ଥା ଦେଖାଦେବାରୁ ଘରକୁ ଚାଲି ଚାଲି ଫେରିବାକୁ ସ୍ଥିର କରିଥିଲେ । ଏତେ ସମସ୍ୟା ଭିତରେ ସେମାନେ କିନ୍ତୁ ସାମାଜିକ ଦୂରତ୍ବ ରକ୍ଷା କରି ଚାଲିଥିଲେ । ବାଟରେ କୌଣସି ଲୋକଙ୍କ ସହ ମିଶିନଥିଲେ । ସମସ୍ତେ ଗାମୁଛା ଓ ମାସ୍କ ପିନ୍ଧି ବାହାରିଥିଲେ ।