କୋଲକାତା: ଦେଶରେ ମାନବ ଚାଲାଣ ତାଲିକାର ଶୀର୍ଷରେ ରହିଛି ପଶ୍ଚିମବଙ୍ଗ । ଏହି ରାଜ୍ୟରେ ଜଣେ ମହିଳା ମୁଖ୍ୟମନ୍ତ୍ରୀ ଥାଇ ମଧ୍ୟ ସର୍ବାଧିକ ଚାଲାଣ ଅତ୍ୟନ୍ତ ଦୁଃଖର ବିଷୟ ବୋଲି କେନ୍ଦ୍ର ମନ୍ତ୍ରୀ ଦେବଶ୍ରୀ ଚୌଧୁରୀ କହିଛନ୍ତି ।
ମଙ୍ଗଳବାର ଏକ ଫେସବୁକ ଲାଇଭ ପେଜରେ ମହିଳା ଓ ଶିଶୁ ବିକାଶର ରାଷ୍ଟ୍ରମନ୍ତ୍ରୀ ପଶ୍ଚିମବଙ୍ଗ ସରକାରଙ୍କୁ ଟାର୍ଗେଟ କରିଥିଲେ । ସେ କହିଥିଲେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟର ମହିଳା ଓ ନାବାଳିକାଙ୍କ ପ୍ରତି ସମ୍ବେନଶୀଳ ନୁହଁନ୍ତି । ଏଠାରେ ମହିଳା ନିର୍ଯ୍ୟାତନା ଓ ଯୌନଉତ୍ପୀଡନର ଶିକାର ହୋଇଆସୁଛନ୍ତି । ହେଲେ ଏହି ମାମଲାରେ କେତେ ଅପରାଧିଙ୍କୁ ଧରାଯାଉଛି ଦେବଶ୍ରୀ ପ୍ରଶ୍ନ କରିଥିଲେ ।
ଦେବଶ୍ରୀ କହିଛନ୍ତି, "ଏହା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଯେ ଆମର ମୁଖ୍ୟମନ୍ତ୍ରୀ ଜଣେ ମହିଳା । ଲୋକେ ଆଶା କରିଥିଲେ ଯେ, ଏହି ସରକାର ରାଜ୍ୟର ମହିଳାଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିବେ। କିନ୍ତୁ ମାନବ ଚାଲାଣରେ ପଶ୍ଚିମବଙ୍ଗ ପ୍ରଥମ ସ୍ଥାନରେ ରହିଛି।" ପଶ୍ଚିମବଙ୍ଗ ଏବଂ ଏହାର ଲୋକଙ୍କ ଅବସ୍ଥାକୁ ନେଇ ପ୍ରଧାନମନ୍ତ୍ରୀ ଚିନ୍ତିତ ଅଛନ୍ତି ବୋଲି ଦେବଶ୍ରୀ କହିଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଟି ବଚାଓ ବେଟି ପଢାଅ ଅଭିଯାନ ଆରମ୍ଭ କରିଛନ୍ତି । ମହିଳା ଓ ଶିଶୁଙ୍କ ବିକାଶ ଦିଗରେ ଏହା ଏକ ନିରନ୍ତର ପ୍ରକ୍ରିୟା । ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଦେଶର ସମସ୍ତ ମହିଳା ଏବଂ ଶିଶୁଙ୍କୁ ସବୁ ପ୍ରକାରରେ ସୁରକ୍ଷିତ ରଖିବ ବୋଲି ମନ୍ତ୍ରୀ କହିଛନ୍ତି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ