ହାଇଦ୍ରାବାଦ: ଜୁନ୍ 1ରୁ ଆରମ୍ଭ ହୋଇଛି ପବିତ୍ର ଗଙ୍ଗା ଦଶହରା । ଲକ୍ଷ୍ନୌ ଓ ବାରଣାସୀରେ ଏହାକୁ ଧୁମଧାମରେ ପାଳନ କରାଯାଏ । ଏହି ପର୍ବରେ ଗଙ୍ଗା ସ୍ନାନ ଓ ପୂଜା ଉପରେ ଗୁରୁତ୍ବ ଦିଆଯାଏ । ଏହାଦ୍ବାରା ପାପରୁ ମୁକ୍ତି ମିଳିଥାଏ ବୋଲି କୁହାଯାଏ ।
ଏଥର ଜୁନ୍ 1ରେ ଏହା ପାଳନ ହୋଇଛି । ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଗଙ୍ଗା ମାତା ପୃଥିବୀ ପୃଷ୍ଠରେ ଅବତରଣ କରିଥିଲେ । ତେଣୁ ଏହି ସମୟରେ ଗଙ୍ଗା ପୂଜା ଓ ସ୍ନାନର ବିଶେଷ ମହତ୍ତ୍ବ ରହିଛି । ଗଙ୍ଗା ଜଳର ବ୍ୟବହାର ଅନେକ ଶୁଭ କାର୍ଯ୍ୟରେ ହୋଇଥାଏ । ତେଣୁ ଏଥିରେ ସ୍ନାନ କରିବା ଦ୍ବାରା ସମସ୍ତ ପାପ ଧୋଇଯାଇଥାଏ । ଲକଡାଉନ ଯୋଗୁଁ ଏଥର ବାରଣାସୀରେ କମ ଲୋକ ସମାଗମ ହୋଇଥିଲେ ।
ଗଙ୍ଗା ସ୍ନାନ କରିବା ଦ୍ବାରା 10ଟି ପାପ ଧୋଇଯାଉଥିବା କୁହାଯାଇଛି । ଏହାସହ ସ୍ନାନ ପରେ ଦାନ ଓ ପୂଜା କଲେ ମଣିଷ ସମସ୍ତ ପ୍ରକାର ପୁଣ୍ୟ ଅର୍ଜନ କରିଥାଏ ବୋଲି ବିଶ୍ବାସ ରହିଛି । ଶାସ୍ତ୍ରରେ କୁହାଯାଇଛି ଗଙ୍ଗା ପାଣିରେ ଗାଧୋଇବା ଦ୍ବାରା ପାପରୁ ମୁକ୍ତି ମିଳିବା ସହ ଅନନ୍ତକାଳ ଯାଏଁ ପୁଣ୍ୟ ଫଳ ପ୍ରାପ୍ତି ହୋଇଥାଏ । ଶାସ୍ତ୍ର ପୁରାଣରେ 10 ପ୍ରକାର ପାପ କାମ, କ୍ରୋଧ, ମନ୍ଦ, ଲାଭ, ମୋହ, ଈର୍ଷା, ଛଳ, କପଟ, ବ୍ରହ୍ମହତ୍ୟା, ପରନିନ୍ଦାର ବର୍ଣ୍ଣନା କରାଯାଇଛି । ଏହାଛଡା ଅବୈଧ ସମ୍ପର୍କ, ଜୀବଜନ୍ତୁଙ୍କୁ କଷ୍ଟ ଦେବା, ଅସତ୍ୟ କହିବା, କାହାକୁ ଧୋକା ଦେବା ଭଳି ପାପ ମଧ୍ୟ ମଣିଷ ଜୀବନରେ ଭରି ରହିଥାଏ ।
ଗଙ୍ଗା ଦଶହରା ଦିନ ଗଙ୍ଗା ସ୍ନାନ କରିବା ଦ୍ବାରା ଏସବୁ ପାପ ଧୋଇଯାଇଥାଏ । ଗଙ୍ଗା ସ୍ନାନ କରିବା ପୂର୍ବରୁ ନିଜ ଇଷ୍ଟ ଦେବତା ଏବଂ ସୂର୍ଯ୍ୟ ଦେବତାଙ୍କୁ ପ୍ରଣାମ କରି ନଦୀରେ ବୁଡ ପକାନ୍ତୁ । ଗାଧୋଇବା ପରେ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ । ତେବେ ସବୁଠାରୁ ବଡ କଥା ଗଙ୍ଗା ସ୍ନାନ ପୂର୍ବରୁ ନିଜ ଶରୀରକୁ ଭଲ ଭାବେ ସଫା କରିନେଇ ଗଙ୍ଗାରେ ବୁଡ ପକାନ୍ତୁ । ଗଙ୍ଗା ନଦୀରେ ବୁଡ ପକାଇବାବେଳେ ନିଜ ଶରୀରର ମଳି ନଦୀରେ ସଫା କରନ୍ତୁ ନାହିଁ । ଏହାକୁ ପାପ ବୋଲି କୁହାଯାଏ । ଗଙ୍ଗା ସ୍ନାନ ପରେ ଶରୀରକୁ ପୋଛନ୍ତୁ ନାହିଁ । ଗଙ୍ଗା ନଦୀକୁ ଯିବା ସମ୍ଭବ ନହେଲେ ଘରେ ଗାଧୁଆ ପାଣିରେ କିଛି ବୁନ୍ଦା ଗଙ୍ଗା ଜଳ ପକାଇ ଦିଅନ୍ତୁ ।