କୋଲକାତା: କୋରୋନା କାରଣରୁ ଜାରି ହୋଇଥିବା ଲକଡାଉନ ପାଇଁ ଦୀର୍ଘ 2 ମାସରୁ ଉର୍ଦ୍ଧ୍ବ ଧରି ବନ୍ଦ ରହିଥିଲା ପଶ୍ଚିମବଙ୍ଗର ବେଲୁର ମଠ ଓ ରାମକ୍ରିଷ୍ଣ ମିଶନ । ଯାହା ଜୁନ 15ରେ ଖୋଲାଯିବା ନେଇ ଉଭୟ ମଠ ଓ ମିଶନ ଦ୍ବାରା ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି । ସଂଗଠନ ଅନୁଯାୟୀ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ଲକଡାଉନ ନିୟମକୁ ଦୃଷ୍ଟିରେ ରଖି ମାର୍ଚ୍ଚ 24 ତାରିଖରୁ ବେଲୁର ମଠ ଏବଂ ରାମକ୍ରିଷ୍ଣ ମିଶନର ସମସ୍ତ ଶାଖା ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।
କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ଧାର୍ମିକ ସ୍ଥାନ ସମେତ ମନ୍ଦିର, ମସଜିଦ, ଚର୍ଚ୍ଚ ଇତ୍ୟାଦି ଚଳିତ ମାସ 8 ତାରିଖରୁ ପୁନଃ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ପରିସ୍ଥିତିରେ, କୋରୋନା ଆତଙ୍କ ମଧ୍ୟରେ ସାଧାରଣ ଜୀବନକୁ ସ୍ୱାଭାବିକ ରଖିବା ପାଇଁ ଲକଡାଉନ ପ୍ରତିବନ୍ଧକକୁ କୋହଳ କରିଦିଆଯାଇଛି । ଏପରି ସମୟରେ ଆମେ ବୁଝି ପାରୁଛୁ ଯେ, ସାଧାରଣ ଭକ୍ତମାନେ ମଧ୍ୟ ଶ୍ରୀ ରାମକ୍ରିଷ୍ଣ, ମା ସାରଦା ଏବଂ ସ୍ୱାମୀ ବିବେକାନନ୍ଦଙ୍କୁ ଭକ୍ତି ଏବଂ ଇଶ୍ୱରଙ୍କ ଆଶୀର୍ବାଦ ପାଇବାକୁ ଅପେକ୍ଷା କରିଛନ୍ତି ।
ତେଣୁ ଆମେ ହୃଦୟଙ୍ଗମ କରୁଛୁ ଯେ ସାଧାରଣ ଲୋକଙ୍କ ପାଇଁ ଆମର ବେଲୁର ମଠ ସମେତ ସମସ୍ତ ଅନୁଷ୍ଠାନ ଖୋଲିବା ପାଇଁ ଆମେ ବିଶେଷଜ୍ଞଙ୍କ ସହ ଆଲୋଚନା କରୁଛୁ । ଯାହାଦ୍ୱାରା ଆବଶ୍ୟକ ଭିତ୍ତିଭୂମି ସହିତ ସମସ୍ତ ସିଷ୍ଟମ ମାଧ୍ୟମରେ ଏହା ସଠିକ ଭାବରେ କାର୍ଯ୍ୟକାରୀ ହୋଇପାରିବ । ଏହି ପ୍ରଣାଳୀକୁ କାର୍ଯ୍ୟକାରୀ କରିବା ପାଇଁ ବେଲୁର ମଠ ସମେତ ଅନ୍ୟାନ୍ୟ ଅନୁଷ୍ଠାନ ବର୍ତ୍ତମାନ ବନ୍ଦ ରହିବ ଏବଂ ଜୁନ 15ରେ ସର୍ବସାଧାରଣଙ୍କ ପାଇଁ ଖୋଲିଦିଆଯିବ । ବେଲୁର ମଠ ପରିଦର୍ଶକଙ୍କ କାର୍ଯ୍ୟସୂଚୀ ଏବଂ ସୁରକ୍ଷା ବ୍ୟବସ୍ଥା ବିଷୟରେ ପରେ ସୂଚନା ଦିଆଯିବ । ଏହା ବ୍ୟତୀତ ସଂଗଠନ ତରଫରୁ ବର୍ତ୍ତମାନର ପରିସ୍ଥିତିକୁ ବୁଝିବା ସହ କିଛି ସମୟ ଅପେକ୍ଷା କରିବାକୁ ଆବେଦନକାରୀଙ୍କୁ କୁହାଯାଇଛି । ମଠ ପକ୍ଷରୁ ସମସ୍ତ ଆବେଦନକାରୀଙ୍କ ସ୍ୱାସ୍ଥ୍ୟ ଏବଂ ନିରାପତ୍ତା ପାଇଁ ପ୍ରାର୍ଥନା କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ