କୋଭିଡ୍-19 ମୁକାବିଲା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ସାରା ଦେଶରେ ମାର୍ଚ୍ଚ 25 ତାରିଖରୁ ଲାଗୁ କରାଯାଇଥିବା ତାଲାବନ୍ଦ ବା ଲକଡାଉନକୁ ଏବେ ମେ ମାସ 17 ଯାଏଁ ସଂପ୍ରସାରିତ କରାଯାଇଛି । ବିଭିନ୍ନ ସ୍ଥାନରେ ଲକଡାଉନ କଟକଣାକୁ କୋହଳ କରାଯାଉଥିଲେ ହେଁ ସାମାଜିକ ଦୂରତା ବଜାୟ ରଖିବା, ନିଜେ ଅଲଗା ହୋଇ ରହିବା ଏବଂ ନିଜ ଘରେ ପୃଥକବାସ ଭଳି କଟକଣା ଆଗକୁ ମଧ୍ୟ ଜାରି ରହିବ । ଅଧିକରୁ ଅଧିକ ଦୋକାନ ଖୋଲିବା ସହିତ ଏସବୁ ଦୋକାନରେ ସ୍ପର୍ଶଜନିତ ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି । ପୂର୍ବରୁ ମଧ୍ୟ କେତେକ ଘଟଣାରେ, କେତେକ ଦୋକାନୀ ସଂକ୍ରମିତ ହେବା ପରେ ଆଗକୁ ଏହି ଭୂତାଣୁ ସଂକ୍ରମଣ ବ୍ୟାପିଥିବାର ନଜିର ରହିଛି ।ବ୍ୟବସାୟ କ୍ଷେତ୍ରରେ ସେବା ପ୍ରଦାନ ସମୟରେ ମାଲିକ ଓ କର୍ମଚାରୀମାନେ ନିଜକୁ ଏବଂ ସେମାନଙ୍କ ଗ୍ରାହକମାନଙ୍କୁ ସୁରକ୍ଷିତ ରଖିବାର କେତେକ ସରଳ ଆଚରଣଗତ ପଦକ୍ଷେପକୁ ଆମେ ଏଠାରେ ଉପସ୍ଥାପନ କରୁଛୁ ।
କୋଭିଡ୍-19 ସଂପର୍କିତ ସ୍ପଷ୍ଟ ଏବଂ ସମାଜ ଅନୁକୂଳ ବାର୍ତ୍ତା:
ସବୁ ଦୋକାନ ଭିତରେ ଏବଂ ବାହାରେ କୋଭିଡ-19 ପ୍ରାଦୁର୍ଭାବ ସଂପର୍କିତ ବାର୍ତ୍ତାକୁ ଅଧିକ ସ୍ପଷ୍ଟ ରୂପରେ ଉପଲବ୍ଧ କରାଇବା ସହିତ ଏହା କାରଣରୁ ଯେଉଁ ସବୁ ବିପଦର ଆଶଙ୍କା ରହିଛି ସେଗୁଡ଼ିକୁ ସୁସ୍ପଷ୍ଟ ଭାବରେ ସୂଚିତ କରିବା । କୋଭିଡ୍-19 ସଂପର୍କିତ ସଦ୍ୟତମ ଗବେଷଣାରୁ ମିଳିଥିବା ପ୍ରମାଣ ସମୂହରେ ଉଲ୍ଲେଖ କରାଯାଇଛି ଯେ, ସମାଜ ଅନୁକୂଳ ଏବଂ କଲ୍ୟାଣକାରୀ ବାର୍ତ୍ତା ଦେବା ସବୁଠୁ ଅଧିକ ପ୍ରଭାବଶାଳୀ ହୋଇଛି । ସବୁ ଲୋକଙ୍କ ଅନୁସରଣ ପାଇଁ ଏହି ବାର୍ତ୍ତାଗୁଡ଼ିକରେ ଦୂରତା ବଜାୟ ରଖିବା, ଭଲ ଭାବରେ ହାତ ପରିଷ୍କାର କରିବା, ମାସ୍କ ପିନ୍ଧିବା, ନିଜେ ନିଜେ ଅଲଗା ହୋଇ ରହିବା, ହେଲ୍ପଲାଇନ ନମ୍ବର ଏବଂ ସର୍ବୋପରି, ଅନ୍ୟମାନଙ୍କୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ସଂକ୍ରମଣର କୌଣସି ସାମାନ୍ୟ ଲକ୍ଷଣ ଦେଖାଦେଲେ ନିଜେ ନିଜେ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ଖବର ଦେବା ଭଳି ବିଷୟ ରହିଛି ।
ଗ୍ରାହକଙ୍କ ପହଞ୍ଚ ଠାରୁ ଦୂରରେ ରହି ଅଧିକ ସମୟ ଖୋଲା ରଖିବା:
ତେଜରାତି ଦୋକାନ ଏବଂ ସୁପର ମାର୍କେଟ ଭଳି ବ୍ୟବସାୟ ପ୍ରତିଷ୍ଠାନ ପରିସରକୁ ସୀମିତ ସଂଖ୍ୟକ ଗ୍ରାହକଙ୍କ ପ୍ରବେଶ ଅନୁମତି ଦିଆଯିବା ଏବଂ ଅପେକ୍ଷାରତ ଗ୍ରାହକଙ୍କ ପାଇଁ ସ୍ପଷ୍ଟ ଭାବେ ଚିହ୍ନିତ ସ୍ଥାନ ରହିବା ଉଚିତ । ଯେତେ ସମ୍ଭବ ସେତେ କମ ସଂଖ୍ୟକ ଗ୍ରାହକଙ୍କ ପାଇଁ ଏହା କରାଯିବା ଦରକାର । ଭିଡ଼ ନ ଜମିବା ଲାଗି ଗ୍ରାହକମାନଙ୍କ ଠିଆ ହେବା ପାଇଁ ନିର୍ଦ୍ଧାରିତ ସ୍ଥାନ ରହିଛି ବୋଲି ତେଜରାତି ଦୋକାନ ଏବଂ ଫଳ ଓ ପନିପରିବା ବିକ୍ରେତାମାନେ ସୁନିଶ୍ଚିତ କରିବା ଉଚିତ । ଗ୍ରାହକଙ୍କ ସଂଖ୍ୟାବୃଦ୍ଧି ନିମନ୍ତେ ଅଧିକ ସମୟ ଧରି ଦୋକାନ ଖୋଲା ରଖିବା ଏକ ଫଳପ୍ରଦ ଉପାୟ ।
ଆଖିରେ ପଡିବା ଭଳି ସ୍ଥାନରେ ସାନିଟାଇଜର ରଖିବା ଏବଂ ମାସ୍କ ବ୍ୟବହାରକୁ ସ୍ବାଭାବିକ କରିବା:
ସୁପରମାର୍କେଟ ଭଳି ବ୍ୟବସାୟ ପ୍ରତିଷ୍ଠାନ ପକ୍ଷରୁ ସହଜରେ ଆଖିରେ ପଡିବା ଭଳି ସାର୍ବଜନୀନ ସ୍ଥାନରେ ହ୍ୟାଣ୍ଡ ସାନିଟାଇଜର୍ ରଖାଯିବା ଉଚିତ । ହାତ ସାନିଟାଇଜ କରିବା ଏବଂ ଧୋଇବା ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ପ୍ରସ୍ତୁତ କରିବା ବେଶ ଫଳପ୍ରଦ ହୋଇପାରେ । ନିଜକୁ ଏବଂ ଅନ୍ୟମାନଙ୍କୁ ସଂକ୍ରମଣରୁ ସୁରକ୍ଷିତ ରଖିବା ଲାଗି ଦୋକାନର ସମସ୍ତ କର୍ମଚାରୀ ମାସ୍କ ପିନ୍ଧିବା ଉଚିତ । ଏଭଳି ପଦକ୍ଷେପ ଦ୍ବାରା ନିୟମିତ ସାନିଟାଇଜ କରିବା, ହାତ ଧୋଇବା ଏବଂ ମାସ୍କ ପିନ୍ଧିବା ଭଳି ଅଭ୍ୟାସ କେବଳ ଯେ ଚାରିତ୍ରିକ ହେବ ତାହା ନୁହେଁ ବରଂ ଏକପାଖିଆ ଭାବେ ଅଧିକ ଆଶାବାଦୀ ଏବଂ ଯୌକ୍ତିକ ଅଜ୍ଞତା କାରଣରୁ ସଂକ୍ରମଣ ଆଶଙ୍କାକୁ ଉପେକ୍ଷା କ୍ଷେତ୍ରରେ ଆଚରଣଗତ ପ୍ରତିବନ୍ଧକ ସୃଷ୍ଟି କରିବ ।
ସାମଗ୍ରୀ ଚୟନ ବ୍ୟବସ୍ଥାର ପୁନର୍ବିନ୍ୟାସ:
ଦୋକାନର ପ୍ରବେଶ ପଥ, ଜିନିଷପତ୍ର ଅର୍ଡର ଦେବାକୁ ଠିଆହେବା ସ୍ଥାନ, ବିଲ୍ ବାବଦ ପ୍ରାପ୍ୟ ଦେବା ସ୍ଥାନ ଏବଂ ପ୍ରସ୍ଥାନ ପଥକୁ ସ୍ପଷ୍ଟ ଭାବେ ଚିହ୍ନିତ କରିବା ଉଚିତ । ଏହା ସହିତ ସୁରକ୍ଷିତ ଦୂରତାରେ ରହି, ମୌଖିକ ଭାବେ କିମ୍ବା ଡିଜିଟାଲ ଉପାୟରେ କର୍ମଚାରୀଙ୍କୁ ଅର୍ଡର ଦେବା ଲାଗି ଗ୍ରାହକଙ୍କୁ ପ୍ରେରିତ କରିବା ଉପଯୋଗୀ ସାବ୍ୟସ୍ତ ହୋଇପାରେ । ଦୋକାନରେ ସାମଗ୍ରୀକୁ ଏପରି ରଖିବା ଦରକାର ଯେଭଳି କର୍ମଚାରୀମାନେ ସହଜରେ ପାଇପାରୁଥିବେ କିନ୍ତୁ ଗ୍ରାହକମାନେ ସିଧାସଳଖ ସେଠାରେ ପହଞ୍ଚି ପାରୁନଥିବେ ।
ସୁରକ୍ଷିତ ଦୂରତା ବଜାୟ ରଖିବା ଏବଂ ପ୍ରସ୍ଥାନ:
ଗୋଟିଏ ସମୟରେ ପ୍ରସ୍ଥାନ କାଉଣ୍ଟରରେ କେବଳ ଜଣେ ଗ୍ରାହକ ରହିବା ହିଁ ସୁରକ୍ଷିତ ଦୂରତା ବଜାୟ ରଖିବା ଲାଗି ଆଦର୍ଶ ବ୍ୟବସ୍ଥା ହେବ । ବିଲ୍ ହୋଇଥିବା ଜିନିଷକୁ ସପିଂ ବ୍ୟାଗରେ ଭର୍ତ୍ତି କରି ‘ଚେକ୍ଆଉଟ୍ ଟ୍ରେ’ରେ ରଖାଯାଇପାରିବ, ଯାହା ଫଳରେ ସେଗୁଡ଼ିକୁ କର୍ମଚାରୀମାନେ ଛୁଇଁବେ ନାହିଁ । ଏହା ଦ୍ବାରା ସ୍ପର୍ଶ ଏବଂ ତଜ୍ଜନିତ କୌଣସି ସଂକ୍ରମଣର ସମ୍ଭାବନାକୁ ହ୍ରାସ କରିହେବ ।
ତେଜରାତି ଦୋକାନକୁ ଅନଲାଇନ ପିକ୍-ଅପ୍ ଷ୍ଟୋର୍ରେ ପରିଣତ କରିବା:
ଯଦି ଗ୍ରାହକମାନଙ୍କୁ ପୂର୍ବରୁ ଜିନିଷପତ୍ରର ତାଲିକା ଦେବାକୁ କୁହାଯାଇପାରିବ (ଉଦାହରଣତଃ ହ୍ବାଟ୍ସଆପ୍ ଜରିଆରେ) ତେବେ ସେଗୁଡ଼ିକୁ ପ୍ୟାକ୍ କରି ଗ୍ରାହକମାନେ ନେବା ଲାଗି ଉଦ୍ଦିଷ୍ଟ ଏକ ସ୍ଥାନରେ ରଖାଯାଇପାରିବ । ସ୍ପର୍ଶ ସମ୍ଭାବନାକୁ ହ୍ରାସ କରିବା ସହିତ ଏହା ଏକ ସୁବିଧାଜନକ ଉପାୟ ବେବ ।
ନଗଦ ଅର୍ଥ ବଦଳରେ ଇ-ପେମେଣ୍ଟ:
କେତେକ ରିପୋର୍ଟରେ ଟଙ୍କା ପଇସାରେ ସଂକ୍ରମଣ ହେଉଥିବା ସମ୍ଭାବନା ପ୍ରକାଶ ପାଇଥିବା ଯୋଗୁଁ ଇ-ପେମେଣ୍ଟ ପଦ୍ଧତିକୁ ପ୍ରୋତ୍ସାହିତ କରାଯିବା ଉଚିତ ଏବଂ ଅନେକ ସ୍ଥାନରେ ଏବେ ଏହା ପ୍ରଚଳିତ ହେଲାଣି । କେତେକ ଦୋକାନୀ ନଗଦ ଟଙ୍କା ନେବାକୁ ସିଧାସଳଖ ମନା ବି କରିଦେଇଛନ୍ତି । ଇ-ପେମେଣ୍ଟ ଲାଗି ବିସ୍ତୃତ ବିବରଣୀକୁ ଆଖିରେ ପଡ଼ିବା ଭଳି ସ୍ଥାନରେ ରଖିଲେ ଗ୍ରାହକମାନେ ସହଜରେ ସ୍କାନ୍ କରି କ୍ୟୁଆର୍ କୋଡ୍ ଭଳି ବିବରଣୀ ପାଇପାରିବେ ଏବଂ ଏହା ଫଳରେ ଆଗକୁ ସ୍ପର୍ଶ ସମ୍ଭାବନା ହ୍ରାସ ପାଇବ ।
କୋଭିଡ୍-19ର ପ୍ରସାର ହ୍ରାସ କରିବାରେ ସହାୟତା ଲାଗି ଅତ୍ୟାବଶ୍ୟକ ସେବା ପ୍ରଦାନକାରୀ ସଂସ୍ଥାର ଏବଂ ଗ୍ରାହକମାନଙ୍କର ସୁରକ୍ଷା ଲାଗି କାର୍ଯ୍ୟକାରୀ କରାଯିବା ସକାଶେ ଉପରେ କେବଳ ଅଳ୍ପ କେତେକ ପଦକ୍ଷେପ ଦିଆଯାଇଛି । ଅନେକ ଦୋକାନୀ ଏଥିରୁ କେତେକ ପଦକ୍ଷେପ ଗ୍ରହଣ କରିସାରିଲେଣି । ଯେମିତି କି ଗ୍ରାହକଙ୍କ ଠିଆ ହେବା ସ୍ଥାନ ଚିହ୍ନଟ କରିବାକୁ ବୃତ୍ତ କରିବା ଏବଂ ଡିଜିଟାଲ ପେମେଣ୍ଟ ନେବା ଇତ୍ୟାଦି । ହେଲେ, ଅନେକ ତଥ୍ୟ ଓ ଭୁଲ ତଥ୍ୟ ମିଳୁଥିବା ସମୟରେ ହୁଏତ କେତେକ କ୍ଷୁଦ୍ର ବ୍ୟବସାୟୀ ନିଜ କଥା ନିଜେ ବୁଝିବାକୁ ବାଧ୍ୟ ହେଉଛନ୍ତି । ଏହି ପଦକ୍ଷେପଗୁଡ଼ିକ ଯେ କେବଳ ଦୋକାନୀ ଓ ଗ୍ରାହକଙ୍କୁ ସୁରକ୍ଷା ଦେବ ତାହା ନୁହେଁ, ବରଂ ଏହା କୋଭିଡ୍-19 ବିପତ୍ତିର ‘ବାସ୍ତବିକତା’ ଉପସ୍ଥାପନ କରିବ ।
ଆଦିତ୍ୟ ଲୌମାସ୍ ଏବଂ ସକ୍ଷମ ସିଂହ
ରିସର୍ଚ୍ଚ ଆସୋସିଏଟ୍, ସିଏସ୍ବିସି, ଅଶୋକା ବିଶ୍ବବିଦ୍ୟାଳୟ