ନୂଆଦିଲ୍ଲୀ: ରାତାରାତି ବିଶ୍ବରେ ପ୍ରସିଦ୍ଧ ଲାଭ କରିଛି ଦିଲ୍ଲୀ ମାଲଭିଆ ନଗରର ବାବା କା ଢାବା । ଖାଇବାକୁ ଲୋକଙ୍କର ଲାଗୁଛି ଲମ୍ବା ଲାଇନ । ଦିନ 12 ଟା ସୁଦ୍ଧା ସମସ୍ତ ଖାଦ୍ୟ ମଧ୍ୟ ସରିଯାଉଛି । ବୃଦ୍ଧ ଦମ୍ପତ୍ତିଙ୍କୁ ସାହାଯ୍ୟ କରିବାକୁ ଖାଲି ଦିଲ୍ଲା ନୁହେଁ ରାଜ୍ୟ ବାହାରୁ ମଧ୍ୟ ଲୋକେ ଧାଇଁ ଆସୁଛନ୍ତି ।
ଭିଡକୁ ଦେଖିଲେ ଆପଣ ଭାବିବେ ଯେ ବୋଧ ହୁଏ କୌଣସି ଏକ ମେଳା ଲାଗିଛି କିମ୍ବା ଗୋଟେ ଭଲ ରେସ୍ତୋରାଁରେ ଖାଇବାକୁ ଲୋକେ ଧାଡିରେ ଠିଆ ହୋଇଛନ୍ତି । କିନ୍ତୁ ନା ଏହା ଏକ ଛୋଟ ଝୁମ୍ପୁଡି ଘର ଟିଏ । ଯେଉଁଠି ବୃଦ୍ଧ ଦମ୍ପତ୍ତି ଦୀର୍ଘ 30 ବର୍ଷ ଧରି ନିଜ ଢାବା ଖୋଲିଛନ୍ତି । ସକାଳ 6 ଟା ବାଜିବା ମାତ୍ରେ କାନ୍ତ ପ୍ରସାଦ ତାଙ୍କ ସ୍ତ୍ରୀ ବାଦାମୀ ଦେବୀଙ୍କ ସହ ଢାବାରେ ପହଞ୍ଚି ଯାଆନ୍ତି । ସ୍ତ୍ରୀ ପରିବା କାଟିବାରେ ସାହାଯ୍ୟ କରୁଥିବା ବେଳେ ବୃଦ୍ଧ ଜଣଙ୍କ ରୋଷେଇରେ ଲାଗି ପଡନ୍ତି । ଭାତ, ଡାଲି, ରୁଟି, ବିଭିନ୍ନ ପ୍ରକାରର ତରକାରୀ ତିଆରି ହୋଇଯାଏ । ଲକଡାଉନ ପୂର୍ବରୁ ଭଲ ଭାବରେ ଚାଲିଥିଲା ଢାବା । ହେଲେ ଲକଡାଉନ ପରର ଅବସ୍ଥା ଅତି ଯନ୍ତ୍ରଣାଦାୟକ ଥିଲା । କେହି ଖାଇବାକୁ ଆସୁନଥିବାବେଳେ ରୋଷେଇ ଖାଦ୍ୟ ଫିଙ୍ଗିବାକୁ ପଡୁଥିଲା ।
ହେଲେ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ମାତ୍ରେ ଦୋକାନ ଆଗରେ ଲୋକଙ୍କ ନାହିଁ ନଥିବା ଭିଡ । ଯେତେ ସମୟ ହେଉ ପଛେ ଲୋକେ ଅପେକ୍ଷା କରି ନେଇ ଯାଉଛନ୍ତି ନିଜ ଅର୍ଡର । ଆଉ ଦିନ 12 ଟାରେ ସବୁ ଖାଇବା ସରିଯାଉଛି । ଆଉ ଏବେ ପ୍ରସାଦ ଓ ବାଦାମୀ ଦେବୀଙ୍କ ମୁହଁ ହସ ଫୁଟି ଉଛୁଠି ।
ସେହିଭଳି କାନ୍ତ ପ୍ରସାଦ ତାଙ୍କୁ ସାହାଯ୍ୟ କରିବାକୁ ଆସୁଥିବା ସମସ୍ତ ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ଭାଇରାଲ ହୋଇଥିବା ଭିଡିଓ ପାଇଁ ତାଙ୍କ ସ୍ବର ଲୋକଙ୍କ ନିକଟରେ ପହଞ୍ଚିଥିବା ବ୍ୟକ୍ତିଙ୍କୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି ।
ସେପଟେ ବୃଦ୍ଧ ଦମ୍ପତ୍ତିଙ୍କର ଶୁଖିଲା ମୁହଁରେ ହସ ଦେଖି ବେଶ ଖୁସି ବ୍ୟକ୍ତି କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆକୁ ଧନ୍ୟବାଦ ଦେବା ସହ ଏହିପରି ସ୍ଥାନୀୟ ବ୍ୟବସାୟୀଙ୍କୁ ସାହାଯ୍ୟ କରିବାକୁ ସେ ଟ୍ବିଟ ଯୋଗେ ନିବେଦନ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ