ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଅଯୋଧ୍ୟା ବିବାଦ ମାମଲାର ଶୁଣାଣିର 30ତମ ଦିନରେ ମଙ୍ଗଳବାର ବଡ ଶୁଣାଣି ହୋଇଛି । ଏହି ସମୟରେ ମୁସଲିମ ପକ୍ଷକାର ନିଜ ପକ୍ଷ ରଖିଛନ୍ତି । ମୁସଲିମ ପର୍ସନାଲ ଲ’ ବୋର୍ଡର ଓକିଲ ଜଫରୟାବ ଜିଲାନୀ ସୁପ୍ରିମକୋର୍ଟରେ ଚାଲିଥିବା ତର୍କ ବିତର୍କରେ କହିଛନ୍ତି ଯେ ରାମ ଚଉତରା ଭଗବାନ ରାମଙ୍କ ଜନ୍ମସ୍ଥଳୀ ଅଟେ । ଏହାର କାରଣରେ ସେ କହିଛନ୍ତି ଯେ ତିନୋଟି କୋର୍ଟ ଏହା ମାନିଛନ୍ତି ଯେ ଏହି ଚଉତରା ରାମଙ୍କ ଜନ୍ମସ୍ଥଳୀ ଅଟେ ।
ସୁପ୍ରିମକୋର୍ଟ ଜିଲାନୀଙ୍କୁ ବାବରଙ୍କ ନାତି ଆକବରଙ୍କ ସମୟରେ ଲେଖାଯାଇଥିବା ଆଇନେ ଆକବରୀ ପୁସ୍ତକର ବିବରଣୀ ମଧ୍ୟ ମାଗିଥିଲେ । ଏହି ପୁସ୍ତକରେ ସେତେବେଳର ଭାରତର ଟିକନିକ ଖବର ବିଷୟରେ ଉଲ୍ଲେଖ ରହିଥିଲା । ମାତ୍ର ଅଯୋଧ୍ୟାରେ ମସଜିଦ ବାବଦରେ କିଛି ବି ତଥ୍ୟ ରଖାଯାଇନାହିଁ । ରାଜାଙ୍କ ନିର୍ଦ୍ଦେଶର ନିର୍ମାଣ କରାଯାଇଥିବା ମସଜିଦ ସମ୍ପର୍କରେ ପୁସ୍ତକରେ ତିଳେ ମାତ୍ର ବର୍ଣ୍ଣନା ନଥିବା କଥା ସୁପ୍ରିମକୋର୍ଟଙ୍କୁ ଚିନ୍ତାରେ ପକାଇଥିଲା ।
ପୂର୍ବରୁ ସୁପ୍ରିମକୋର୍ଟରେ ରାମାୟଣ ଏବଂ ରାମଚରିତ ମାନସରେ ରାମଙ୍କ ଜନ୍ମସ୍ଥାନ ବିଷୟରେ ଉଲ୍ଲେଖ ନଥିବା କଥା ଉଠିଥିଲା । ପରେ ଏହାକୁ ନେଇ ଜଷ୍ଟିସ୍ ବୋବଡେ ପ୍ରଶ୍ନ କରିଛନ୍ତି କି, ଯଦି ଆଇନ ଆକବରୀ ସବୁ ବର୍ଗରେ ଲୋକପ୍ରିୟ ତେବେ ଏଥିରେ ବାବ୍ରୀ ମସଜିଦ୍ ବିଷୟରେ କଣ ପାଇଁ ଉଲ୍ଲେଖ ନାହିଁ।
ଏତଦବ୍ୟତୀତ ସୁପ୍ରିମକୋର୍ଟ ମଧ୍ୟ ଏକ ବଡ ଟିପ୍ପଣୀ କରିଛନ୍ତି । ରାମାୟଣା କିମ୍ବା ରାମଚରିତ ମାନସରେ ରାମଚନ୍ଦ୍ରଙ୍କ ଜନ୍ମଭୂମି ଉପରେ ଉଲ୍ଲେଖ ନଥିବା ହିନ୍ଦୁ ମାନଙ୍କର ଆସ୍ଥା ଉପରେ କୌଣସି ପ୍ରଭାବ ପକାଇପାରିବ ନାହିଁ । ହିନ୍ଦୁମାନଙ୍କୁ ଏହା ଗ୍ରହଣ କରିବାକୁ କେହି ଅଟକାଇ ପାରିବେ ନାହିଁ କି କେଉଁଠି ରାମଚନ୍ଦ୍ରଙ୍କ ଜନ୍ମସ୍ଥାନ ରହିଥିଲା ।