ନୂଆଦିଲ୍ଲୀ: ମସଜିଦ ନିର୍ମାଣ ପାଇଁ ଦିଆଯିବାକୁ ଥିବା ୫ ଏକର ଜମି ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି ଅଯୋଧ୍ୟା ବିବାଦର ଅନ୍ୟତମ ପକ୍ଷକାର ଇକବାଲ ଅନସାରୀ । ଯଦି ସରକାର ଆମକୁ ଏହି ଜମି ପ୍ରଦାନ କରନ୍ତି ତାହାଲେ ସେଠାରେ ଆମେ ସ୍କୁଲ ଏବଂ ହସ୍ପିଟାଲ ନିର୍ମାଣ କରିବାକୁ ଚାହୁଁଛୁ ବୋଲି ସେ କହିଛନ୍ତି।
ଅନସାରୀ କହିଛନ୍ତି, କୋର୍ଟଙ୍କ ରାୟ ପରେ ହିନ୍ଦୁ-ମୁସଲିମଙ୍କ ମଧ୍ୟରେ ଉତ୍ପନ ଘୃଣା ସମାପ୍ତ ହୋଇଛି। ଦେଶର ସବୁଠୁ ବିବାଦ ଉପରେ ଯବନିକା ପଡ଼ିଛି। ବର୍ତ୍ତମାନ ହିନ୍ଦୁ ଓ ମୁସଲିମ ମଧ୍ୟରେ କୌଣସି ପ୍ରକାରର ମତଭେଦ କି ଉତ୍ତେଜନାମୂଳକ ମାହୋଲ ସୃଷ୍ଟି ହେଉ, ତାହା ଆମେ ଚାହୁଁନାହୁଁ।
ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ସମ୍ମାନ ଜଣାଇ ଅନସାରୀ କହିଛନ୍ତି ଯେ, କୋର୍ଟଙ୍କ ରାୟକୁ ସମ୍ମାନ ଜଣାଇବୁ ବୋଲି ଆମେ ପୂର୍ବରୁ କହିଥିଲୁ। ବର୍ତ୍ତମାନ କୋର୍ଟ ମସଜିଦ ନିର୍ମାଣ ପାଇଁ ଜମି ଦେଇଛନ୍ତି। କେଉଁଠି ଦେବେ ତାହା ଆମକୁ ଜଣାନାହିଁ । ଜମି ଦେବା ଲାଗି ଯଦି ଆମକୁ ଆମନ୍ତ୍ରଣ କରାଯାଏ ତାହେଲେ ଏହି ଜମିରେ ଆମେ ସ୍କୁଲ ଓ ହସ୍ପିଟାଲ ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ କରିବୁ ବୋଲି ସେ କହିଛନ୍ତି।
ଆଯୋଧ୍ୟାର ବିବାଦୀୟ ଜମିକୁ ରାମ ଜନ୍ମଭୂମି ନ୍ୟାସକୁ ଦେବାକୁ ନିର୍ଦ୍ଦେଶ ଦେବା ସହିତ ମୁସଲିମଙ୍କୁ ଅନ୍ୟତ୍ର ଜାଗା ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅଯୋଧ୍ୟାର ଏକ ପ୍ରମୁଖ ସ୍ଥାନରେ ସୁନ୍ନି ୱାକଫ୍ ବୋର୍ଡ଼କୁ ୫ ଏକର ଜମି ଦେବାକୁ କୋର୍ଟ ନିଜ ରାୟରେ କହିଛନ୍ତି।