ଦିଶପୁର: ରେଳ ଧାରଣାରେ ହାତୀକୁ ହତ୍ୟା କରିବା ଅଭିଯୋଗରେ ଦୁଇ ରେଳ ଇଞ୍ଜିନ ଜବତ ହୋଇଛି। ଆସାମରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ଆସାମ ବନବିଭାଗ ପକ୍ଷରୁ ରେଳ ଧାରଣରେ ଦୁଇ ହାତୀଙ୍କୁ ହତ୍ୟା ଅଭିଯୋଗରେ ଦୁଇ ରେଳ ଇଞ୍ଜିନ ଜବତ କରାଯାଇଥିଲା।
ଗତ ସେପ୍ଟେମ୍ବର 27 ତାରିଖରେ ପଥରକୁଲା ଓ ଲାମସାଖଙ୍ଗ ରେଳ ଷ୍ଟେସନ ମଧ୍ୟରେ ଥିବା ରେଳ ଧାରଣାରେ ଏକ ମାଆ ହାତୀ ଓ ଛୁଆ ହାତୀର ମୃତଦେହ ଉଦ୍ଧାର କରାଯାଇଥିଲା। ତଦନ୍ତ ବେଳେ ଟ୍ରେନ ଧକ୍କାରେ ଦୁହିଁଙ୍କ ମୃତ୍ୟୁ ହୋଇଥିବା ତଥ୍ୟ ପଦାକୁ ଆସିଥିଲା। ଏହାପରେ ନୂଆ ଗୁହ୍ବାଟି ରେଳ ଷ୍ଟେସନରୁ ଲୋକୋ ଇଞ୍ଜିନ ନମ୍ବର- 12440 WDG4କୁ ଜବତ କରିଛି ଆସାମ ବନ ବିଭାଗ। ବନ୍ୟପ୍ରାଣୀ ସୁରକ୍ଷା ଆଇନ, 1972 ଅନୁଯାୟୀ ଏହି ରେଳ ଇଞ୍ଜିନକୁ ଜବତ କରିଥିଲା ବନ ବଭାଗ।

ତେବେ ଜନସାଧାରଣ ସ୍ବାର୍ଥ ଓ ଅନ୍ୟ ଅତ୍ୟାବଶ୍ୟକ ସେବାର ନିରନ୍ତରତାକୁ ଦୃଷ୍ଟିରେ ରଖି ଏହି ଇଞ୍ଜିନକୁ ରେଳ ବିଭାଗକୁ ହସ୍ତାନ୍ତର କରାଯାଇଛି। ଗୌହ୍ବାଟିର ବରିଷ୍ଠ ଡିଜେଲ ରେଳ ବିଭାଗ ପରଚାଳକ ମୋହନ ତିୱାରୀଙ୍କ ହେପାଜତରେ ଏହି ଇଞ୍ଜିନ ହସ୍ତାନ୍ତର କରାଯାଇଛି। ଏହସହ ମୋହନ ତିୱାରୀଙ୍କ ଦ୍ବାରା ଏକ ଜିମ୍ମାନାମା ସ୍ବାକ୍ଷର କରାଯାଇଛି। ଯେଉଁଥିରେ କ୍ଷତିପୂରଣ ବାବଦକୁ ରେଳ ବିଭାଗ ପକ୍ଷରୁ 12 କୋଟି ଟଙ୍କା ସହାୟତା ଦେବାକୁ ସେ ରାଜି ହୋଇଛନ୍ତି। ଏନେଇ ବରିଷ୍ଠ ବିନ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି।

ବନ୍ୟପ୍ରାଣୀ (ସୁରକ୍ଷା) ଅଧିନିୟମ 1972 ଅନୁଯାୟୀ ଏକ ହାତୀ ହତ୍ୟା ମାମଲା ରୁଜୁ କରାଯାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି। ଏହାସହ ସେପ୍ଟେମ୍ବର 27ରେ ସମ୍ପୃକ୍ତ ରେଳ ଇଞ୍ଜିନ ଚଲାଉଥିବା ଲୋକ ପାଇଲଟ ଓ ଆସିଷ୍ଟାଣ୍ଟ ଲୋକୋ ପାଇଲଟଙ୍କୁ ନିଲମ୍ବିତ କରାଯାଇଛି। ଏନେଇ ଆସାମର ମୁଖ୍ୟ ବନ୍ୟପ୍ରାଣୀ ୱାର୍ଡେନ ମହେନ୍ଦ୍ର କୁମାର ଯାଦବ ସୂଚନା ଦେଇଛନ୍ତି।
ଘଟଣାକୁ ନେଇ ଆସାମର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପାରମଲ ସୁକଲାବାୟା ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, "ବାରମ୍ବାର ରେଳ ଟ୍ରାକରେ ହାତୀ ମୃତ୍ୟୁ ଘଟଣା ସାମ୍ନାକୁ ଆସୁଛି। ଏଣିକି ଏଭଳି ଘଟଣା ବିରୋଧ କଠୋର ଆଭିମୁଖ୍ୟ ଗ୍ରହଣ କରାଯିବ। ଏଭଳି ଘଟଣା ବନ୍ଦ ହେବା ନିହାତି ଆବଶ୍ୟକ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ