ଗୌହାଟି: ନଦୀମାନେ ଡରାଉଛନ୍ତି । ଜାରି ରହିଛି ଭୟଙ୍କର ଜଳ ପ୍ରଳୟ । ତୁହାକୁ ତୁହା ବର୍ଷା ଯୋଗାଉଛନ୍ତି ବଳ । ବନ୍ୟା ବିତ୍ପାତରେ ଆସାମ ଜଳବନ୍ଦୀ । ଜନଜୀବନ, ଜନ୍ତୁ, ଜଙ୍ଗଲ, ଯାତାୟତ ସବୁ କିଛି ଧ୍ବସ୍ତବିଧ୍ବସ୍ତ । ଚାରିଆଡେ ବନ୍ୟା ବିଭୀଷିକା ସହ ଲୋକଙ୍କ ହାହାକାର ।
ପୂର୍ବ ଅପେକ୍ଷା ସ୍ଥିତି ଆହୁରି ଗମ୍ଭୀର ହେବା ସହ ପାଣିରେ ଅଣନିଃଶ୍ବାସୀ ହୋଇଗଲେଣି ଆସାମର ସାଧାରଣ ଜନତା । ଲଗାଣ ବର୍ଷା ଯୋଗୁଁ ରାଜ୍ୟର 25 ଜିଲ୍ଲା ଜଳବନ୍ଦୀ ହୋଇ ରହିଥିବାବେଳେ 14 ଲକ୍ଷରୁ ଊର୍ଦ୍ଧ୍ବ ଲୋକ ଜଳ ଘେରରେ ରହିଛନ୍ତି । ଏହାସହ ମୃତ୍ୟୁ ସଂଖ୍ୟା 6କୁ ବୃଦ୍ଧି ପାଇଛି ।
ରାଜ୍ୟରେ ଥିବା ସମସ୍ତ ନଦୀ ଏବେ ବିପଦ ସଙ୍କେତ ରେଖା ଉପରେ ପ୍ରବାହିତ ହେଉଛି । ପ୍ରବଳ ବର୍ଷାରେ କାଜିରଙ୍ଗା ଜାତୀୟ ରାଜପଥକୁ ଛାଡି ସମ୍ପୂର୍ଣ୍ଣ ଉଦ୍ୟାନ ଜଳମଗ୍ନ ହେବା ସହ ନଷ୍ଟ ହୋଇଯାଇଛି । ଏନେଇ ସମସ୍ତ ପଶୁକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ଏପଟେ ଗୋଦାବରୀ ନଦୀର ପ୍ରଖର ଜଳ ସ୍ରୋତ ଏକ ସ୍କୁଲ ବିଲଡିଂକୁ ଭସାଇ ନେଇଛି ।
ଖବର ଅନୁଯାୟୀ, ଆସାମର ଏଭଳି ପରିସ୍ଥିତିରେ କେନ୍ଦ୍ର ପକ୍ଷରୁ କୌଣସି ସହାୟତାର ହାତ ଦିଆଯାଇନାହିଁ । ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦେଶର ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିର କେବଳ ସମୀକ୍ଷା କରିଛନ୍ତି । ଏହାସହ ସମସ୍ତ ପ୍ରକାର ପରିସ୍ଥିତିକୁ ମୁକାବିଲା କରିବା ପାଇଁ ରାଜ୍ୟ ଓ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।