ପାଟନା: ବିହାର ନିର୍ବାଚନରେ ସିଏଏ ତାତି । ବିହାର ନିର୍ବାଚନକୁ ନେଇ ସାରା ଦେଶରେ ରାଜନୀତି ସରଗରମ ଥିବାବେଳେ ପ୍ରଚାର ମୈଦାନରେ ସିଏଏକୁ ପ୍ରସଙ୍ଗ କରିଛନ୍ତି ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱେସି । ବିହାର ବିଧାନସଭା ନିର୍ବାଚନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ପ୍ରଚାର ପାଇଁ ମଇଦାନକୁ ଓହ୍ଲାଇଛନ୍ତି ଓୱେସି । ଆଉ କିଶାନଗଞ୍ଜ ଜିଲ୍ଲାରେ ନିର୍ବାଚନୀ ସଭାକୁ ସମ୍ବୋଧନ କରିବା ବେଳେ ସିଏଏକୁ ବିରୋଧ କରିବାକୁ ଆହ୍ବାନ କରିଛନ୍ତି ସେ । ଏପରିକି ଉପସ୍ଥିତ ଜନତାଙ୍କୁ ମହାମାରୀ ଉପରେ ସିଏଏ ଓ ଏନଆରପି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଆହ୍ବାନ କରିଛନ୍ତି । ଯାହାକୁ ନେଇ ଏବେ ରାଜନୀତି ସରଗରମ ହୋଇଛି ।
ଏହାସହ ସେ ଆହୁରି କହିଛନ୍ତି କି, ମୋ ଭାଷଣ ପରେ ଆରଜେଡି ଓ କଂଗ୍ରେସ ଦଳ ଏହାକୁ ପ୍ରସଙ୍ଗ କରିବେ । ଉତ୍ତେଜନାମୂଳକ ଭାଷଣ ଦେଇଛି ବୋଲି କହିବେ । କିନ୍ତୁ ମୁଁ ବଞ୍ଚିଥିବା ଯାଏଁ ସତ କହିବି ବୋଲି ଜନତାଙ୍କୁ ସମ୍ଭୋଧନ କରିବା ବେଳେ ଏପରି କହିଛନ୍ତି ସେ । ଖାଲି ସେତିକି ନୁହେଁ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ଓୱେସି ।
ନୀତିଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ କରିଥିବାରୁ କଂଗ୍ରେସ ଓ ଆରଜେଡିଙ୍କୁ ଦାୟୀ କରିଛନ୍ତି ଓୱେସି । ବିହାରରେ 2015 ନିର୍ବାଚନରେ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ମହାମେଣ୍ଟ ନାଁରେ ଆରଜେଡି, କଂଗ୍ରେସ ଏବଂ ଜେଡିୟୁ ନେତାମାନେ ପ୍ରତାରଣା କରିଥିଲେ। ମିଥ୍ୟା ଆଧାରରେ ଭୋଟ୍ ନେଇ ନିତିଶ କୁମାର କ୍ଷମତାକୁ ଆସିଥିଲେ। ଆଜି ନିତିଶ କୁମାର ନରେନ୍ଦ୍ର ମୋଦୀଙ୍କ ସହ ବସିଛନ୍ତି। ଏଥିପାଇଁ ଆରଜେଡି ଏବଂ କଂଗ୍ରେସ ମଧ୍ୟ ଦାୟୀ।
ସେ କହିଛନ୍ତି, ନିର୍ବାଚନ ସମୟରେ ଏହି ଆରଜେଡି ଓ କଂଗ୍ରେସ କହିଥିଲେ ଯେ ଯଦି ମହାମେଣ୍ଟ କ୍ଷମତାକୁ ଆସେ ତେବେ ଏହା ଦେଶ ଏବଂ ବିହାରକୁ ବିଜେପି ଓ ଆରଏସଏସ ମୁକ୍ତ କରିବ । ଏହି ଅଞ୍ଚଳରେ ବିକାଶ ଏବଂ ପରିବର୍ତ୍ତନ ଆଣିବା ପାଇଁ ଏଆଇଏମଆଇଏମ ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ବିହାର ଜନସାଧାରଣକୁ ଅପିଲ କରିଛନ୍ତି ଓୱେସି ।
ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ନଭେମ୍ବର 3ରେ ଦ୍ବିତୀୟ ପର୍ଯ୍ୟାୟ ଏବଂ ନଭେମ୍ବର 7ରେ ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ତେବେ ନିର୍ବାଚନର ଫଳାଫଳ 10 ନଭେମ୍ବରରେ ଘୋଷଣା କରାଯିବ। ତୃତୀୟ ପର୍ଯ୍ୟାୟରେ କିଶାନଗଞ୍ଜ ନିର୍ବାଚନମଣ୍ଡଳୀ ପାଇଁ ମତଦାନ ଅନୁଷ୍ଠିତ ହେବ।