ଜେନେଭା: ବିଶ୍ବରେ ବ୍ୟାପିଥିବା କୋରୋନା ଭାଇରସର ପ୍ରଭାବ ଶ୍ରମ ବଜାରରେ ମଧ୍ୟ ଦେଖିବାକୁ ମିଳିଛି । କୋରୋନା ଭାଇରସ ଯୋଗୁଁ 2020ର ପ୍ରଥମ 6 ମାସରେ ସମଗ୍ର ବିଶ୍ୱରେ କାର୍ଯ୍ୟ ସମୟରେ ଦେଖାଦେଇଥିବା କ୍ଷତି ପୂର୍ବ ଆକଳନଠାରୁ ଯଥେଷ୍ଟ ଖରାପ ଥିଲା । ତେବେ ବର୍ଷର ଆଗାମୀ 6 ମାସରେ ଏହି କ୍ଷତି ଆହୁରି ବଢିବ ବୋଲି ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲ୍ଓ)ର ସର୍ବଶେଷ ବିଶ୍ଳେଷଣରୁ ଜଣାପଡିଛି । ତେବେ କେବଳ ମହାମାରୀକୁ ଦୂର କରିବା ଯଥେଷ୍ଟ ହେବ ନାହିଁ । ସର୍ବୋତ୍ତମ ପରିସ୍ଥିତିରେ ମଧ୍ୟ ବଡ଼ ଧରଣର ରୋଜଗାର କ୍ଷତି ହେବ ବୋଲି ଚେତାବନୀ ଦେଇଛି ଆଇଏଲ୍ଓ ।
ଆଇଏଲ୍ଓର ବିଶ୍ଳେଷଣ ଅନୁଯାୟୀ, 2020ର ଦ୍ୱିତୀୟ ତ୍ରୟମାସିକରେ ବିଶ୍ବର କାର୍ଯ୍ୟ ସମୟ ସଂଖ୍ୟା 14 ପ୍ରତିଶତ ହ୍ରାସ ଘଟିଛି । ଯାହା 400 ନିୟୁତ ପୂର୍ଣ୍ଣକାଳୀନ ଚାକିରି ହରାଇବା ସହିତ ସମାନ ଅଟେ । ପୂର୍ବ ବିଶ୍ଳେଷଣର ଆକଳନରେ ଏହି ସଂଖ୍ୟାରେ 10.7 ପ୍ରତିଶତ ହ୍ରାସ ଘଟିଥିଲା । ଯାହା 305 ନିୟୁତ ଚାକିରି ହରାଇବା ସହିତ ସମାନ ଥିଲା ।
ଆଇଏଲ୍ଓର ନୂଆ ବିଶ୍ଳେଷଣ ଅନେକ ଅଞ୍ଚଳର ସମସ୍ୟାକୁ ଦର୍ଶାଇଛି । ଖାସକରି ବିକାଶଶୀଳ ଅର୍ଥବ୍ୟବସ୍ଥାରେ ଉପୁଜିଥିବା ସମସ୍ୟା । ତେବେ ଆମେରିକାରେ 18.3 ପ୍ରତିଶତ କାର୍ଯ୍ୟ ସମୟ କ୍ଷତି ହୋଇଥିବା ବେଳେ ୟୁରୋପ ଏବଂ ମଧ୍ୟ ଏସିଆରେ 13.9 ପ୍ରତିଶତ ଏସିଆ ଏବଂ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ 13.5 ପ୍ରତିଶତ, ଆରବ ରାଷ୍ଟ୍ରରେ 13.2 ପ୍ରତିଶତ ଏବଂ ଆଫ୍ରିକାରେ 12.1 ପ୍ରତିଶତ କାର୍ଯ୍ୟ ସମୟ କ୍ଷତି ହୋଇଛି ।
ବିଶ୍ବର ଅଧିକାଂଶ ଶ୍ରମିକ (93 ପ୍ରତିଶତ) କାର୍ଯ୍ୟକ୍ଷେତ୍ର ବନ୍ଦ ଥିବା ଦେଶରେ ରହୁଛନ୍ତି ।
2020ର ଆଗାମୀ 6 ମାସରେ କାର୍ଯ୍ୟ ସମୟର ପୁନରୁଦ୍ଧାର ପାଇଁ ଆଇଏଲ୍ଏର ନୂଆ ବିଶ୍ଳେଷଣ ତିନୋଟି ଦୃଷ୍ଟିକୋଣ ଉପସ୍ଥାପନ କରିଛି: ବେସ୍ ଲାଇନ୍, ନିରାଶାବାଦୀ ଏବଂ ଆଶାବାଦୀ । ମହାମାରୀର ଫଳାଫଳ ଏବଂ ସରକାରୀ ନୀତି ଭବିଷ୍ୟତର ପଥ ଉପରେ ନିର୍ଭର କରିବ ବୋଲି ବିଶ୍ଳେଷଣରେ ଜୋର ଦିଆଯାଇଛି ।
ବେସ୍ ଲାଇନ୍ ମଡେଲ୍ ଅନୁମାନ କରେ ଯେ, କାର୍ଯ୍ୟକ୍ଷେତ୍ରରେ ପ୍ରତିବନ୍ଧକ ହଟାଇବା ଏବଂ ପୁଞ୍ଜି ବିନିଯୋଗରେ ପୁନରୁଦ୍ଧାର ଏହି ସମସ୍ୟାର ସମାଧାନ କରିବ। ଏହା ଦ୍ବାରା 4.9 ପ୍ରତିଶତ (140 ନିୟୁତ ପୂର୍ଣ୍ଣକାଳୀନ ଚାକିରି ସହ ସମାନ) କାର୍ଯ୍ୟ ସମୟ ହ୍ରାସ ପାଇବ ।
ନିରାଶାବାଦୀ ଦୃଷ୍ଟିକୋଣ ପୁନରୁଦ୍ଧାରକୁ ଯଥେଷ୍ଟ ମନ୍ଥର ଅନୁମାନ କରେ । ଏହା ଦ୍ବାରା 11.9 ପ୍ରତିଶତ (340 ନିୟୁତ ପୂର୍ଣ୍ଣକାଳୀନ ଚାକିରି) କାର୍ଯ୍ୟ ସମୟ ହ୍ରାସ ପାଇବ ।
ଆଶାବାଦୀ ଦୃଷ୍ଟିକୋଣ ଅନୁମାନ କରେ ଯେ, ଶ୍ରମିକମାନଙ୍କର କାର୍ଯ୍ୟକଳାପର ଶୀଘ୍ର ଆରମ୍ଭ ନିଯୁକ୍ତି ସୃଷ୍ଟିରେ ଯଥେଷ୍ଟ ବୃଦ୍ଧି କରିବ । ଏହା ଦ୍ବାରା 1.2 ପ୍ରତିଶତ (32 ନିୟୁତ ପୂର୍ଣ୍ଣକାଳୀନ ଚାକିରି) କାର୍ଯ୍ୟ ସମୟ ହ୍ରାସ ପାଇବ ।
ତେବେ ଏହି ମହାମାରୀ ଦ୍ବାରା ମହିଳା ଶ୍ରମିକମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି । ଏହାଦ୍ବାରା ଲିଙ୍ଗଗତ ସମାନତା ଉପରେ କିଛି ସାମାନ୍ୟ ପ୍ରଗତି ନଷ୍ଟ ହୋଇଯିବ ଏବଂ କାର୍ଯ୍ୟ ସମ୍ବନ୍ଧୀୟ ଲିଙ୍ଗଗତ ଅସମାନତା ଆହୁରି ତୀବ୍ର ହେବ ବୋଲି ଆଇଏଲ୍ଓ କହିଛି ।
ଆବାସ, ଖାଦ୍ୟ, ବିକ୍ରୟ ଏବଂ ଉତ୍ପାଦନ ଭଳି କ୍ଷେତ୍ରରେ ମହିଳାମାନଙ୍କର ଅତ୍ୟଧିକ ପ୍ରତିନିଧିତ୍ୱକୁ ଏହା ପ୍ରଭାବ ପକାଇବ । କାରଣ ସର୍ବଭାରତୀୟ ସ୍ତରରେ ପ୍ରାୟ 510 ନିୟୁତ କିମ୍ବା 40 ପ୍ରତିଶତ ମହିଳା ଏହି ଚାରିଟି କ୍ଷେତ୍ରରେ କାର୍ଯ୍ୟ କରନ୍ତି । ଏହି 4ଟି କ୍ଷେତ୍ର କୋରୋନାରେ ଅଧିକ ପ୍ରଭାବିତ ହୋଇଛି ।
ତେବେ ଆସନ୍ତା ସପ୍ତାହରେ ଆଇଏଲଓ କୋରୋନାକୁ ନେଇ ଏକ ଉଚ୍ଚସ୍ତରୀୟ ଭର୍ଚୁଆଲ୍ ଗ୍ଲୋବାଲ୍ ସମ୍ମିଳନୀର ଆୟୋଜନ କରିଛି । ଆଇଏଲ୍ଏ ନିର୍ଦ୍ଦେଶକ ଗାଇ ରାଇଡର ଏନେଇ କହିଛନ୍ତି, ମୁଁ ଆଶା କରୁଛି ଯେ, ସରକାର, ଶ୍ରମିକ ଏବଂ ନିଯୁକ୍ତିଦାତା ଏହି ସୁଯୋଗକୁ ବ୍ୟବହାର କରି ଅଭିନବ ଚିନ୍ତାଧାରା ଉପସ୍ଥାପନ କରିବେ । ଶିଖାଯାଇଥିବା ଶିକ୍ଷା ଉପରେ ଆଲୋଚନା କରିବେ ଏବଂ ଚାକିରି ସମୃଦ୍ଧ, ସମାନ ଏବଂ ସ୍ଥାୟୀ ପୁନରୁଦ୍ଧାରକୁ କାର୍ଯ୍ୟକାରୀ କରିବା ପାଇଁ ମିଳିତ ଭାବରେ କାର୍ଯ୍ୟ କରିବାକୁ ଯୋଜନା ପ୍ରସ୍ତୁତ କରିବେ ।