ଲକ୍ଷ୍ନୌ: ସମସ୍ତଙ୍କୁ ଡରାଉଛି କୋରୋନା ଭାଇରସ। ଏମିତି କି ଦେବାଦେବୀଙ୍କୁ ମଧ୍ୟ ଘାରିଛି କୋରୋନା ଭୟ । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶ କନ୍ନୌଜରେ ଥିବା ମା' ଫୁଲମତୀ ଦେବୀଙ୍କ ମନ୍ଦିରରେ । ମନ୍ଦିରରେ ଥିବା ସମସ୍ତ ଦେବାଦେବୀଙ୍କ ମୂର୍ତ୍ତିରେ ମାସ୍କ ଲଗାଯାଇଥିବା ଦେଖିବାକୁ ମିଳିଛି ।
କନ୍ନୌଜର ମକରନ୍ଦନଗର ମାର୍ଗରେ ସିଦ୍ଧପୀଠ ମା ଫୁଲମତୀ ଦେବୀଙ୍କ ପ୍ରାଚୀନ ଓ ଏୈତିହାସିକ ମନ୍ଦିର ରହିଛି । ଏହି ମନ୍ଦିରରେ ବହୁ ପ୍ରାଚୀନ ଓ ପୁରାତନ ମୂର୍ତ୍ତି ସହିତ ଶ୍ରୀହନୁମାନ, ସାଇବାବା, ରାଧା-କୃଷ୍ଣ, ମା ଦୂର୍ଗାଙ୍କ ସମେତ ବହୁ ଦେବାଦେବୀଙ୍କ ମୂର୍ତ୍ତି ରହିଛି। ଏହି ମନ୍ଦିରରେ ସବୁବେଳେ ଲୋକଙ୍କ ଭିଡ ଯମିଥାଏ । ଯାହାକୁ ଦୃଷ୍ଟିରେ ରଖି ମନ୍ଦିରର ପୂଜାରୀ ଶିଖର ମିଶ୍ର ମନ୍ଦିର ପରିସର ସଫା ସତୁରା ରଖିବା ସହ ଦେବାଦେବୀଙ୍କ ମୁହଁରେ ମାସ୍କ ବାନ୍ଧି ଥିବା ଦେଖିବାକୁ ମିଳିଛି । ଭକ୍ତଙ୍କୁ ଦୂରରୁ ରହି ପୂଜା କରିବା ପାଇଁ ନିବେଦନ କରିଛନ୍ତି । ଏହାସହ ମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ ମାସ୍କ ପିନ୍ଧି ଯିବା ପାଇଁ ନିବେଦନ କରାଯାଇଛି ।
ଏହାସହ ହାତକୁ ଭଲ ଭାବରେ ସଫା କରି ପୂଜା ସାମଗ୍ରୀ ଓ ଦେବାଦେବୀଙ୍କୁ ଛୁଇଁବାକୁ ପାମ୍ପଲେଟ ମାଧ୍ୟମରେ ମନ୍ଦିର ପରିସରରେ ଲଗାଇଛନ୍ତି। ତେବେ ମନ୍ଦିର ପୂଜାରୀ କୋରୋନାକୁ ନେଇ ଭୟଭୀତ ନ ହୋଇ ସଫା ସୁତୁରା ପ୍ରତି ଅଧିକ ଧ୍ୟାନ ଦେବାକୁ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ