ସିମଲା: ସେନାରେ ଯୋଗ ଦେବାକୁ ଯାଇ ପୁଅ ନିଖୋଜ । ହଜିଲା ପୁଅକୁ ଖୋଜୁଛନ୍ତି ବୁଢା ବାପା ମା' । ଏହି ଘଟଣା ଦିନେ କି ଦୁଇ ଦିନର ନୁହେଁ । 14 ବର୍ଷ ତଳୁ ସେନାରେ ଯୋଗ ଦେବାକୁ ଯାଇ ପୁଅ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି ।
ସିମଲା ନିବାସୀ ୟୋଗରାଜଙ୍କ କହିବା ମୁତାବକ 14 ବର୍ଷ ତଳେ ତାଙ୍କ ପୁଅ ପରମଜୀତ ଆସାମ ରାଇଫଲସ୍ ତାଲିମରେ ଯୋଗଦେବା ପାଇଁ ଯାଇଥିଲେ । ମାତ୍ର ସେତେବେଳେ ତାହାର ଅସୁସ୍ଥତା ସମ୍ପର୍କରେ ଆମକୁ ସୂଚନା ଦିଆଯାଇଥିଲା । ମାତ୍ର ପରେ ପରମଜୀତଙ୍କ ନିଖୋଜ ସମ୍ପର୍କରେ ସୂଚନା ଦିଆଯାଇଥିଲା ବୋଲି ସେ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ପୁଅ ଦେଶ ପାଇଁ ଶହୀଦ ହୋଇଥିଲେ ଆମକୁ ଗର୍ବ ଲାଗିଥାନ୍ତା । ମାତ୍ର ତାଲିମ ସମୟରେ ନିଖୋଜ ହେବା ଘଟଣା ଆମକୁ ସନ୍ଦେହରେ ପକାଇଛି ।
ୟୋଗରାଜଙ୍କର ପୁଅ ପରମଜୀତ 14 ବର୍ଷ ତଳେ ଆସାମ ରାଇଫଲରେ ଯୋଗଦେଇଥିଲେ । ତେବେ ତାଲିମ ସମୟରେ ଅସୁସ୍ଥ କାରଣରୁ ତାଙ୍କୁ ମୁରାଦାବାଦ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ନେଇ ଆସାମ ରାଇଫଲର କର୍ତ୍ତୃପକ୍ଷଙ୍କ ନିକଟରୁ ସୂଚନା ମିଳେ । ତେବେ ସୁସ୍ଥ ହେବା ପରେ ଡାକ୍ତରଖାନାରୁ ତାଙ୍କୁ ପୁନର୍ବାର ଆସାମ ରାଇଫଲରେ ଯୋଗଦେବା ପାଇଁ ନିଆଯାଉଥିଲା । ମାତ୍ର ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା ।
ସେପଟେ ତାଙ୍କୁ ଆସାମ ରାଇଫଲ ତରଫରୁ ମୃତ ଘୋଷଣା କରାଯାଇଥିଲା । ମାତ୍ର ଏପର୍ଯ୍ୟନ୍ତ ତାଙ୍କ ମୃତଦେହକୁ ପରିବାରକୁ ହସ୍ତାନ୍ତର କରାଯାଇନଥିବା ୟୋଗରାଜ ଅଭିଯୋଗ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କି ମୃତ ଘୋଷଣା କରାଯାଇଥିଲେ ମଧ୍ୟ ମୃତ୍ୟୁକାଳୀନ ଜମାନବନ୍ଦୀ ଏବଂ ସହାୟତା ରାଶି ପ୍ରଦାନ କରାଯାଇନାହିଁ । ଫଳରେ ପୁଅକୁ ଦୀର୍ଘ 14 ବର୍ଷ ତଳୁ ଚାହିଁ ରହିଛନ୍ତି ୟୋଗରାଜ ଏବଂ ତାଙ୍କ ପତ୍ନୀ । ଏପରିକି ପୁଅକୁ ଖୋଜିଦେବା ପାଇଁ ଆସାମ ରାଇଫଲର ଅଧିକାରୀ ଏବଂ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଗୁହାରି କରିଥିବା ଜଣାପଡ଼ିଛି । ଗୁହାରି କରିଥିଲେ ମଧ୍ୟ କୌଣସି ସୂଚନା ତାଙ୍କୁ ଦିଆଯାଇନଥିବା ସେ କହିଛନ୍ତି ।