ନୂଆଦିଲ୍ଲୀ: ଭାରତ ଓ ଚୀନ୍ ମଧ୍ୟରେ ତିକ୍ତତା ଜାରି ରହିଛି । ଏଲଏସିରେ ଭାରତୀୟ ଯବାନ ଚୀନ୍ର ପ୍ରତ୍ୟେକ ପଦକ୍ଷେପକୁ ଉପଯୁକ୍ତ ଉତ୍ତର ଦେଉଛନ୍ତି । ସେପଟେ ଆର୍ମି ଚିଫ୍ ଜେନେରାଲ୍ ଏମ୍ ଏମ୍ ନରୱଣେ ଆଜି(ଗୁରୁବାର) ସକାଳେ ଲଦାଖରେ ପହଞ୍ଚିଛନ୍ତି । ସେଠାରେ ସେ ଦକ୍ଷିଣ ପେଙ୍ଗୋଙ୍ଗ ଓ ଅନ୍ୟାନ୍ୟ ସ୍ଥାନରେ ପରିସ୍ଥିତିକୁ ଅନୁଧ୍ୟାନ କରିଛନ୍ତି ।
ଭାରତ ଓ ଚୀନ୍ ମଧ୍ୟରେ ସୀମା ବିବାଦ ଗତ କିଛି ଦିନ ଧରି ଚାଲିଆସିଛି । ଚୀନ୍ର ଅନୁପ୍ରବେଶ ପୁଣି ଚିନ୍ତାର କାରଣ ହୋଇଛି । ଏହା ପରେ ବର୍ତ୍ତମାନ ସେନା ମୁଖ୍ୟ ଲଦାଖରେ ପରିସ୍ଥିତିକୁ ଅନୁଧ୍ୟାନ କରିଛନ୍ତି । ଏଠାରେ ନରୱଣେ ସମସ୍ୟା ଓ ଭୂମି ସ୍ଥିତିକୁ ଅନୁଧ୍ୟାନ କରିଛନ୍ତି । ଏଥି ସହିତ ସୀମା ତିକ୍ତତା ମଧ୍ୟରେ ଚୀନ୍ ଓ ଭାରତ ମଧ୍ୟରେ ବୈଠକ ଚାଲିଛି । ଏହି ସମୟ ମଧ୍ୟରେ ଲଦାଖର ପେଙ୍ଗୋଙ୍ଗ ଅଞ୍ଚଳରେ ଭାରତ ପୁଣିଥରେ ଉତ୍ତର ଫିଙ୍ଗର-4 କୁ କବଜା କରିଛି । ଜୁନ୍ ମାସ ପରେ ପ୍ରଥମ ଥର ପାଇଁ ଏହି ଅଞ୍ଚଳ ଭାରତୀୟ ସେନା ଦ୍ବାରା ସମ୍ପୂର୍ଣ୍ଣ ଦଖଲ କରାଯାଇଛି ।
ପ୍ରକାଶଥାଉକି, 29-30 ଅଗଷ୍ଟରେ ଚୀନ୍ ଲଦାଖର ପେଙ୍ଗୋଙ୍ଗ ହ୍ରଦ ଅଞ୍ଚଳରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲା । ମାତ୍ର ଭାରତୀୟ ଯବାନ ଦୃଢତାର ସହ ମୁକାବିଲା କରିଥିଲେ । 29 ଅଗଷ୍ଟ ରାତିରେ ପେଙ୍ଗୋଙ୍ଗ ହ୍ରଦର ଦକ୍ଷିଣ ପାର୍ଶ୍ବରେ ଏଲଏସି ଆଡକୁ କିଛି ସନ୍ଦେହଜନକ କାର୍ଯ୍ୟକଳାପ ବିଷୟରେ ସେନା ଜାଣିବାକୁ ପାଇଥିଲା । ଅନ୍ୟପକ୍ଷେ ତିକ୍ତତା ହ୍ରାସ କରିବା ପାଇଁ ଭାରତ ଓ ଚୀନ୍ ମଧ୍ୟରେ ଆଲୋଚନା ମଧ୍ୟ ଚାଲିଛି । ବୁଧବାର ବ୍ରିଗେଡିୟର୍ ସ୍ତରୀୟ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା । ତେବେ କୌଣସି ଠୋସ୍ ଫଳାଫଳ ମିଳିପାରିନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ