ଇସଲାମବାଦ: କୁହୁଳୁଛି ଚୀନ ଓ ପାକିସ୍ତାନ ବିରୋଧୀ ନିଆଁ । ପିଓକେ (ପାକ୍ ଅଧିକୃତ କାଶ୍ମୀର)ର ମୁଜାଫରବାଦରେ ଏହି ପ୍ରତିବାଦର ଶୋଭାଯାତ୍ରା ଦେଖିବାକୁ ମିଳିଛି। ତେବେ ନିଲମ ଓ ଜେଲମ ନଦୀ ଉପରେ ହାଇଡ୍ରୋ ପାୱାର ପ୍ରୋଜେକ୍ଟର ଡ୍ୟାମ ନିର୍ମାଣ କାର୍ଯ୍ୟକୁ ବିରୋଧ କରିଛନ୍ତି ଶହ ଶହ ଲୋକେ। ତେବେ ବେଆଇନ ଭାବେ ଚାଲିଥିବା ଏହି ପ୍ରକଳ୍ପକୁ ବନ୍ଦ କରିବାକୁ ଦାବି କରିଛନ୍ତି ପ୍ରତିବାଦକାରୀ।
ସୋମବାର ନିଲମ୍ ଜେଲମ୍ ଏବଂ କୋହଲା ହାଇଡ୍ରୋ ବିଦ୍ୟୁତ୍ ପ୍ରକଳ୍ପର ବେଆଇନ ନିର୍ମାଣକୁ ନିନ୍ଦା କରିବା ପାଇଁ ବାସିନ୍ଦାମାନେ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭକାରୀମାନେ କହିଛନ୍ତି ଯେ ପାକିସ୍ତାନ ଏବଂ ଚୀନ୍ ଦ୍ୱାରା ନିର୍ମିତ ହେଉଥିବା ଏହି ଡ୍ୟାମ୍ ଦ୍ୱାରା ପରିବେଶ ଉପରେ ପ୍ରଭାବ ପକେଇବ।
ବିଶ୍ୱସ୍ତରୀୟ ପ୍ଲାଟଫର୍ମରେ ଏହି ପ୍ରସଙ୍ଗକୁ ଉଠାଇବା ପାଇଁ ଆନ୍ଦୋଳନକାରୀ ମାନେ #SaveRiversSaveAJK ମଧ୍ୟ ଟ୍ୱିଟରରେ ଟ୍ରେଣ୍ଡ କରାଇଏକ ସୋସିଆଲ୍ ମିଡିଆ ଅଭିଯାନ ମଧ୍ୟ ଆରମ୍ଭ କରାଇଥିଲେ।
ତେବେ ପାକିସ୍ତାନ ଏବଂ ଚୀନ ନଦୀ ଦଖଲ କରି ଜାତିସଂଘ ସୁରକ୍ଷା ପରିଷଦର ନିଷ୍ପତ୍ତିକୁ ଉଲ୍ଲଙ୍ଘନ କରୁଛି। ଏହାସହ ବିକ୍ଷୋଭକାରୀମାନେ ପଚାରିଥିଲେ ପାକିସ୍ତାନ ଏବଂ ଚୀନ୍ ମଧ୍ୟରେ ବିବାଦୀୟ ଅଞ୍ଚଳର ନଦୀ ଚୁକ୍ତି କେଉଁ ଆଇନ ଅନୁଯାୟୀ ସ୍ୱାକ୍ଷରିତ ହୋଇଛି? ଏହି ପ୍ରକଳ୍ପ କାର୍ଯ୍ୟ ବନ୍ଦ କରାନଗଲେ ସେମାନେ କୋହଲା ପ୍ରକଳ୍ପ ଆଡ଼କୁ ଅଗ୍ରସର ହେବା ସହ ବିରୋଧ ଜାରି ରଖିବେ ବୋଲି ଚେତାବନୀ ଦେଇଛନ୍ତି।
ସୂଚନା ଥାଉକି, ନିକଟରେ କୋହଲାରେ 2.4 ବିଲିୟନ ଡ଼ଲାର ମୂଲ୍ୟର 1,124 ମେଗାୱାଟ ଜଳ ବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ ପାଇଁ ଏକ ଚୀନ୍ କମ୍ପାନୀ ଏବଂ ପାକିସ୍ତାନ ଏବଂ ଚୀନ୍ ସରକାରଙ୍କ ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି।
ଏହି ଜଳ ବିଦ୍ୟୁତ୍ କେନ୍ଦ୍ର ଚୀନ ଓ ପାକିସ୍ତାନର ଇକୋନୋମିକ୍ କରିଡର (ସିପିଇସି) ଜେଲୁମ୍ ନଦୀ ଉପରେ ନିର୍ମାଣ କରଯାଉଛି। ଏହି କାର୍ଯ୍ୟକୁ କୋହଲା ହାଇଡ୍ରୋପାୱାର୍ କମ୍ପାନୀ ଲିମିଟେଡ୍ (କେଏଚ୍ସିଏଲ୍) କୁ ପ୍ରଦାନ କରାଯାଇଛି, ଯାହା ଚାଇନା ଥ୍ରୀ ଗର୍ଗ କର୍ପୋରେସନ୍ (CTGC) ର ଏକ ସହାୟକ କମ୍ପାନୀ ଅଟେ।