ନୂଆଦିଲ୍ଲୀ: ସଂସଦରେ ନାଗରିକତା ସଂଶୋଧନ ବିଲ (ସିଏବି) ପାରିତ ହେବା ପରେ ଦେଶର ବିଭିନ୍ନ ସ୍ଥାନରେ ବିରୋଧ ଜାରି ରହିଛି । ବିଶେଷ କରି ଉତ୍ତର-ପୂର୍ବ ଭାରତର ଆସାମ ସମେତ ଶିଲଂରେ ଜଳୁଛି ଆନ୍ଦୋଳନର ବହ୍ନି । ବିଲକୁ ବିରୋଧ କରି ରାଜରାସ୍ତାରେ ହଜାର ହଜାର ସଂଖ୍ୟକ ଲୋକେ । ଆଉ ବିଭିନ୍ନ ସ୍ଥାନରେ ଜଳାପୋଡାର ଦୃଶ୍ୟ ଦେଖିବାକୁ ମିଳିଛି । ଅନ୍ୟପଟେ, 48 ଘଣ୍ଟା ପାଇଁ ମେଘାଳୟରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ଏହା ସହିତ ବିରୋଧ ସମୟରେ ପୋଲିସ ଗୁଳିରେ ଆସାମରେ ଗୁରୁବାର 2 ପ୍ରଦର୍ଶନକାରୀ ମୃତ୍ୟୁବରଣ କରିଛନ୍ତି ।
ସେପଟେ, ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶିଲଂ ଗସ୍ତ ବାତିଲ କରିଛନ୍ତି । ସେ ରବିବାର ନର୍ଥ ଇଷ୍ଟ ପୋଲିସ ଏକାଡେମୀରେ ଯୋଗ ଦେଇଥାନ୍ତେ । ହେଲେ ପ୍ରବଳ ବିରୋଧ ଯୋଗୁଁ ଶାହ ଉତ୍ତର ପୂର୍ବଞ୍ଚଳ ନ ଯାଇ ଝାଡଖଣ୍ଡ ଯିବେ ବୋଲି ଜଣାପଡିଛି ।
ଏହି ବିଲ ଉଭୟ ରାଜ୍ୟସଭା ଓ ଲୋକସଭାରେ ପାରିତ ହୋଇଥିବା ବେଳେ ଶୁକ୍ରବାର ରାଷ୍ଟ୍ରପତିଙ୍କ ମୋହର ପରେ ଆଇନରେ ପରିଣତ ହୋଇଛି । ଏପଟେ ଦେଶର ସମସ୍ତ ରାଜ୍ୟ ଏହି ନିୟମ ଲାଗୁ କରିବାକୁ ବାଧ୍ୟ ବୋଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।