ନୂଆଦିଲ୍ଲୀ: ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (DCGI)ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଏବଂ ଭାରତ ବାୟୋଟେକର କୋଭିଡ-19 ଟିକା ଅନୁମୋଦନ ଦେବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପିର ମୁଖ୍ୟ ଜେପି ନଡ୍ଡା ରବିବାର ଦେଶର ବୈଜ୍ଞାନିକ ଓ କୋଭିଡ଼ ଯୋଦ୍ଧା (ଫ୍ରଣ୍ଟଲାଇନ କର୍ମଚାରୀ)ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏହି କୋରୋନା ଟିକା ଦେଶରେ ଅନୁମୋଦନ ପାଇବା ପରେ ପ୍ରଧାନମନ୍ତ୍ରୀଙ୍କ 'ଆତ୍ମନିର୍ଭର ଭାରତ'କୁ ପ୍ରମାଣିତ କରିଛି ବୋଲି ଗୃହମନ୍ତ୍ରୀ ଶାହା କହିଛନ୍ତି । ଏ ସମ୍ପର୍କରେ ଶାହା ନିଜ ଟ୍ବିଟର ପୃଷ୍ଠାରେ ଲେଖିଛନ୍ତି, "ଭାରତ ପାଇଁ ଏହା ଏକ ବଡ଼ ସଫଳତା । DCGI ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଏବଂ ଭାରତ ବାୟୋଟେକର କୋଭିଡ଼-19 ଟିକା ଅନୁମୋଦନ ଦେଇଛି । ଭାରତର ପରିଶ୍ରମୀ ତଥା ପ୍ରତିଭାଶାଳୀ ବୈଜ୍ଞାନିକ ଏହି ଟିକାକୁ ବାହାର କରି ଭାରତକୁ ଗୌରାବାନ୍ବିତ କରିଛନ୍ତି । ଦେଶକୁ କୋରୋନା ମୁକ୍ତ କରିବାରେ ପ୍ରଧାନମନ୍ତ୍ରୀ ମୋଦି ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିବାରୁ ତାଙ୍କୁ ଧନ୍ୟବାଦ । "
ଏହାସହିତ ଶାହା ଦେଶର ବୈଜ୍ଞାନିକ, ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ସୁରକ୍ଷାକର୍ମୀ ଏବଂ କୋଭିଡ ଯୋଦ୍ଧାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେପଟେ ବିଜେପି ମୁଖ୍ୟ ଜେପି ନଡ୍ଡା ଭାରତରେ 2ଟି ଟିକାକରଣକୁ ଉଦ୍ଭାବନ କରାଯାଇଥିବାରୁ ଏହା ଏକ ଐତିହାସିକ ମୁହୂର୍ତ୍ତ ବୋଲି ସେ କହିଛନ୍ତି । ଭାରତ ଏକ ବିଶ୍ୱ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିଣତ ହୋଇଛି । କୋରୋନା ମହାମାରୀ ସହିତ ଲଢିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଦେଶର ପ୍ରତ୍ୟେକ ବିଭାଗକୁ ଏକାଠି କରିଥିଲେ ବୋଲି ସେ ଟ୍ବିଟ କରି କହିଛନ୍ତି ।
ତେବେ ଜରୁରୀକାଳୀନ ସ୍ଥିତିରେ ପର୍ଯ୍ୟାପ୍ତ ପରୀକ୍ଷଣ ପରେ ସେଣ୍ଟ୍ରାଲ୍ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (CDSCO)ବିଶେଷଜ୍ଞ କମିଟିର ସୁପାରିଶକୁ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି । ସେରମ୍ ଏବଂ ଭାରତ ବାୟୋଟେକର ଟିକା ଅନୁମୋଦନ କରାଯାଇ ଜରୁରୀକାଳୀନ ପରିସ୍ଥିତିରେ ସୀମିତ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି । ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ପାଇଁ କ୍ୟାଡିଲା ସ୍ୱାସ୍ଥ୍ୟସେବାକୁ ଅନୁମତି ଦିଆଯାଇଛି ବୋଲି ଡିସିଜିଆଇର ଜଣେ କର୍ମଚାରୀ ଭି.ଜି ସୋମାନି କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ