ନୂଆଦିଲ୍ଲୀ: ଦେଶରେ ବଢୁଥିବା ଭିଡ ହିଂସା ଉପରେ ଲାଗିବ ଲଗାମ । ଏହାକୁ ରୋକିବା ପାଇଁ କଠୋର ହେବ ଆଇନ । ଏଥିପାଇଁ ମନ୍ତ୍ରୀଙ୍କୁ ନେଇ ଏକ କମିଟିର ଗଠନ ହୋଇଛି । ଏହି କମିଟି ସମସ୍ତ ସମ୍ବନ୍ଧୀୟ ପକ୍ଷ ସହ ବିଚାର ବିମର୍ଶ କରି ସମାଧାନର ବାଟ ବାହାର କରିବେ ବୋଲି ସଂସଦରେ କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।
ରାଜ୍ୟସଭାର ପ୍ରଶ୍ନକାଳ ସମୟରେ ଏକ ପ୍ରଶ୍ନର ଜବାବରେ ଶାହ କହିଛନ୍ତି, ଏହି ସମ୍ବନ୍ଧରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଉପ-ରାଜ୍ୟପାଳ ଏବଂ ରାଷ୍ଟ୍ରପତି ଶାସନଯୁକ୍ତ ରାଜ୍ୟର ରାଜ୍ୟପାଳଙ୍କୁ ଚିଠି ଲେଖାଯାଇଛି । ସେମାନେ ଏହି ସମ୍ବନ୍ଧରେ ନିଜ ନିଜ ବିଚାର ସରକାରଙ୍କୁ ଦେବେ । ବିଭିନ୍ନ ଭିଡ ହିଂସା ମାମଲାର ତଦନ୍ତ ସହ ଜଡିତ ବିଶେଷଜ୍ଞ ଏବଂ ଜନସ୍ବାର୍ଥ ମାମଲା ରୁଜୁ କରୁଥିବା ବ୍ୟକ୍ତିଙ୍କଠାରୁ ମଧ୍ୟ ଏନେଇ ପରାମର୍ଶ ଦେବାକୁ କୁହାଯାଇଛି । ସମସ୍ତଙ୍କ ସହ ବିଚାର ବିମର୍ଷ କରିବା ପରେ ଆରପିସି ଏବଂ ସିଆରପିସିରେ ପରିବର୍ତ୍ତନ ହେବ ବୋଲି ଶାହ କହିଛନ୍ତି। ତେବେ ଏହି ସମୟରେ ସୁପ୍ରିମକୋର୍ଟଙ୍କ ସମସ୍ତ ନିଷ୍ପତିକୁ ମଧ୍ୟ ଧ୍ୟାନରେ ରଖାଯିବ ବୋଲି ସେ କହିଛନ୍ତି ।