ବାରଣାସୀ: ଭାରତ ଅଭିମୁଖେ ଉଡାଣ ଭରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସୋମବାର ମଧ୍ୟାହ୍ନରେ ଅହମଦାବାଦ ବିମାନ ବନ୍ଦରରେ ପହଞ୍ଚିବେ ଟ୍ରମ୍ପ । ଏଥିପାଇଁ ସାରା ସହରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । କିନ୍ତୁ ଟ୍ରମ୍ପ ନିଜର ଏହି ଦୁଇ ଦିନିଆ ଭାରତ ଗସ୍ତ ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରଣାସୀରେ ଗସ୍ତ କରିବେ ନାହିଁ । ତଥାପି ତାଙ୍କ ଗସ୍ତକୁ ନେଇ ଉତ୍ସାହିତ ଅଛନ୍ତି ବାରଣାସୀବାସୀ ।
ଗଙ୍ଗାଘାଟିରେ ବେଦପାଠର ଛାତ୍ରମାନେ ଡୋନାଲ୍ଡ ଟ୍ରମ୍ପଙ୍କ ଅଭିବାଦନ ସଂସ୍କୃତ ଶ୍ଲୋକ ଉଚ୍ଚାରଣ ଦ୍ବାରା କରିଛନ୍ତି । ଛାତ୍ରଙ୍କ କହିବାନୁସାରେ, ଟ୍ରମ୍ପ ଭାରତ ଆସିବା ଦ୍ବାରା ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ସୁଦୃଢ ହେବ । ଆମେ ତାଙ୍କ ସ୍ବାଗତ ସଂସ୍କୃତ ଶ୍ଲୋକ ଦ୍ବାରା କରିଛୁ । ତାଙ୍କର ଭାରତ ଗସ୍ତ ଆମ ପାଇଁ ଏକ ଗର୍ବର ବିଷୟ । ସେହିପରି ବାରଣାସୀର କବି ମଧ୍ୟ ଏକ ନିଆରା ଢଙ୍ଗରେ ଟ୍ରମ୍ପଙ୍କ ସ୍ବାଗତ ପାଇଁ କବିତା ପାଠ କରିଛନ୍ତି ।
ଅପରପକ୍ଷେ ହିନ୍ଦୁସେନା ମୁଖିଆ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକ ବିଷ୍ଣୁ ଗୁପ୍ତା ବିଶ୍ବଶାନ୍ତି ମହାଯଜ୍ଞର ଆଯୋଜନ କରିବେ । ହିନ୍ଦୁସେନାର କହିବାନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଟ୍ରମ୍ପଙ୍କୁ ଭଗବାନଙ୍କ ଆଶୀର୍ବାଦ ମିଳିବା କାମନାରେ 24 ଫେବୃଆରୀରେ ଦିଲ୍ଲୀରେ ଏହି ଯଜ୍ଞର ଆୟୋଜନ କରାଯିବ ।