ନୂଆଦିଲ୍ଲୀ: ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ୍ (ଏନଜିଟି) ତେଲେଙ୍ଗାନାର ଯଦାଦ୍ରୀ ଭୁବନାଗିରି ଜିଲ୍ଲାରେ ଥିବା ଔଷଧ କମ୍ପାନୀଗୁଡିକରୁ ନିର୍ଗତ ପ୍ରଦୂଷଣ ବିସ୍ତାର କରୁଥିବା ଅଭିଯୋଗରେ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛି । ଜଷ୍ଟିସ୍ କେ ରାମକୃଷ୍ଣନ୍ ଏବଂ ଜଷ୍ଟିସ୍ ସାଇବଲ୍ ଦାସଗୁପ୍ତଙ୍କ ଏକ ଖଣ୍ଡପୀଠ ଭାରତ ସରକାର, ତେଲେଙ୍ଗାନା ସରକାର, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଯଥା ଏସପିସିବି, ଦିଭିଜ ଲାବୋରେଟୋରୀ ପ୍ରାଇଭେଟ ଲିମିଟେଡ୍, ଶ୍ରୀନ ଫାର୍ମାସ୍ୟୁଟିକାଲ୍ସ, ମାରୁତି କୋଟେକ୍ସ ଲିମିଟେଡ୍ ଏବଂ ଅନ୍ୟାନ୍ୟକୁ ଏହି ନୋଟିସ୍ ଜାରି କରାଯାଇଛି ।
ଏନଜିଟି ଉକ୍ତ ହିତାଧିକାରୀମାନଙ୍କୁ ଏକ ନୋଟିସ୍ ଜାରି କରି ଅଗଷ୍ଟ 21 ତାରିଖ ପୂର୍ବରୁ ଏହାର ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛି । କେବଳ ଏତିକି ନୁହେଁ, ରାଜ୍ୟର ଔଷଧ କମ୍ପାନୀଗୁଡିକରୁ ନିର୍ଗତ ପ୍ରଦୂଷଣର ଅସଲ ସ୍ଥିତି ଜାଣିବା ପାଇଁ ଏନଜିଟି ଏକ କମିଟି ମଧ୍ୟ ଗଠନ କରିଛି । ଏହି କମିଟି ଘଟଣାର ତଦନ୍ତ କରିବ ଏବଂ ସମ୍ପୃକ୍ତ ଅଞ୍ଚଳକୁ ମଧ୍ୟ ଯାଞ୍ଚ କରିବ । ତେବେ ଉକ୍ତ କମିଟିକୁ ଦୁଇ ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ମାମଲାରେ ନିର୍ଦ୍ଦଶେ ଦିଆଯାଇଥିବା ନିୟମକୁ ପାଳନ କରାଯାଇଛି ନା ନାହିଁ ତାହା ମଧ୍ୟ ଯାଞ୍ଚ କରିବାକୁ କମିଟିକୁ କୁହାଯାଇଛି ।
ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ୍ କହିଛି ଯେ, କୌଣସି ଗ୍ୟାସ୍ ନିର୍ଗତ ଦ୍ବାରା ହେଉଥିବା ପ୍ରଦୂଷଣ ଯୋଗୁଁ ସ୍ବାସ୍ଥ୍ୟକୁ କ୍ଷତି ପହଞ୍ଚାଉଛି କି ନାହିଁ ତାହା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଯଦି ଏପରି କିଛି ଅସୁବିଧା ହୁଏ ତେବେ ଏଥିଲାଗି ଆବଶ୍ୟକୀୟ ପ୍ରତିକାର ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି । ଏହି କାର୍ଯ୍ୟରେ କୌଣସି ପ୍ରକାର ନିୟମ ଉଲ୍ଲଂଘନ ହୁଏ ତେବେ ପରିବେଶ କ୍ଷତିପୂରଣର ଆକଳନ କରିବାକୁ ଏନଜିଟି କମିଟିକୁ କହିଛି । ସୂଚନା ଥାଉକି ଔଷଧ କମ୍ପାନୀଗୁଡିକ ଯଦାଦ୍ରୀ ଭୁବନଗିରି ଜିଲ୍ଲାରେ ପ୍ରଦୂଷଣ ବିସ୍ତାର କରୁଛନ୍ତି ଏବଂ ପ୍ରଦୂଷଣ ସହ ଜଡିତ ନିୟମ ପାଳନ କରୁଥିବାରୁ ଉକ୍ତ କମ୍ପୀନୀ ବିରୋଧରେ ଅଭିଯୋଗ ଆସିଛି ।