ଶ୍ରୀନଗର: ଘାଟିରେ ପରିସ୍ଥିତି ସୁଧୁରିବା ସହ ସମ୍ପୂର୍ଣ୍ଣ ଶାନ୍ତ ରହିଛି । ଧାରା ୩୭୦ ଉଚ୍ଛେଦ ପରେ ଉପତ୍ୟାକାରେ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ସୂଚନା ଜାରି କରାଯାଇଛି । ପୂର୍ବରୁ କଡା ସୁରକ୍ଷା ମଧ୍ୟରେ ଅନେକ ବିଦ୍ୟାଳୟ ଖୋଲାଯାଇଥିବା ବେଳେ ଏବେ ଘାଟିରେ ସମସ୍ତ ସ୍କୁଲ ଖୋଲିବା ନେଇ ଜାମ୍ମୁ କାଶ୍ମୀର ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବଡ ଘୋଷଣା କରାଯାଇଛି ।
ଘାଟିରେ ସମସ୍ତ ସରକାରୀ ସ୍କୁଲ ସମେତ ହାୟର ସେକେଣ୍ଡାରୀ ସ୍ତରର ସମସ୍ତ ବେସରକାରୀ ସ୍କୁଲକୁ ଅକ୍ଟୋବର 3 ତାରିଖ ପୂର୍ବରୁ ଖୋଲିବା ପାଇଁ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ସେହିପରି ସମସ୍ତ କଲେଜକୁ 9 ଅକ୍ଟୋବର ପୂର୍ବରୁ ଖୋଲିବା ପାଇଁ କୁହାଯାଇଛି ।
କାଶ୍ମୀର ଡିଭିଜିନାଲ କମିଶନର ବସିର ଅହମଦ ଖାନ ଏନେଇ ଏକ ବୈଠକ ଆୟୋଜନ କରି ଏ ସଂକ୍ରାନ୍ତରେ ସମସ୍ତ ସୂଚନା ଦେଇଛନ୍ତି । କାଶ୍ମୀରରେ ସମସ୍ତ ସ୍କୁଲ କଲେଜ ଖୋଲିବା ନେଇ ଅକ୍ଟୋବର 1 ତାରିଖରେ ଅଭିଭାକଙ୍କୁ ନେଇ ଏକ ବୈଠକ ଆୟୋଜିତ କରିବା ପାଇଁ ସେ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।