ଅଯୋଧ୍ୟା: ଶ୍ରୀ ରାମ ମନ୍ଦିର ଭୂମି ପୂଜନ ପାଇଁ ସମସ୍ତ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ । ରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟ ଅତିଥିଙ୍କ ତାଲିକା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇ ସାରିଛନ୍ତି । 500 ବର୍ଷର ଅପେକ୍ଷା ପରେ ପ୍ରଧାନମନ୍ତ୍ରୀ ମୋଦି ରାମ ମନ୍ଦିରର ପୁନଃ ଭିତ୍ତି ପ୍ରସ୍ତର ମାତ୍ର 32 ସେକେଣ୍ଡରେ ରଖିବେ ଯାହା ଏକ ଐତିହାସିକ ମୁହୂର୍ତ୍ତ ହେବ ।
ବରିଷ୍ଠ ବିଜେପି ଏବଂ ଆରଏସଏସ ନେତା ଯେଉଁମାନେ ରାମ ଜନ୍ମଭୂମି ମାମଲାରେ ଜଡ଼ିତ ଥିଲେ ସେମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଏହି ଐତିହାସିକ କ୍ଷଣର ସାକ୍ଷୀ ହେବେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ବାଗତ ପାଇଁ ରାମ ନଗରୀରେ ତିଆରି ହୋଇଥିବା ଆକର୍ଷଣୀୟ ତୋରଣରୁ ଏହି ଭୂମି ପୂଜନର ଭବ୍ୟ ଆୟୋଜନ ବିଷୟରେ ଅନୁମାନ କରାଯାଇ ପାରିବ । ମୋଦି ଯେଉଁ ରାଜପଥ ଦେଇ ଯିବେ ସେହି ରାସ୍ତାରେ ମଧ୍ୟ ସୁନ୍ଦର ସୁନ୍ଦର ଚିତ୍ରକଳା ସବୁ କରାଯାଇଛି ।
ଭୂମି ପୂଜନ ଅବସରରେ ପାଳନ ହେବ ଦିପୋତ୍ସବ
ଏକାଥରକେ ସର୍ବାଧିକ ଦୀପ ଜଳାଇ ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି ଅଯୋଧ୍ୟା । ଆଉ ଏବେ ପୁଣି ଥରେ ଏମିତି ଏକ ଆଲୋକମୟ ଉତ୍ସବ ପାଇଁ ପ୍ରସ୍ତୁତ ହେଉଛି ଅଯୋଧ୍ୟା ନଗରୀ । ଭୂମି ପୂଜନ ଦିନ ଦୀପତ୍ସୋବ ପାଳନ କରାଯିବା ନେଇ ଯୋଜନା ହୋଇଛି ।
ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟ ସଦସ୍ୟ ଓ ଅଯୋଧ୍ୟାର ସମସ୍ତ ସାଧୁ ସନ୍ଥ ସାରା ସହରରେ ଦୀପ ପ୍ରଜ୍ବଳିତ କରିବା ନେଇ ନିଷ୍ପତ୍ତି ନେଇଛନ୍ତି । ହନୁମାନଗରହୀ, ଦଶରଥ ମହଲ, କନକ ଭବନ, ସୀତା ରଶୋଇ, ରଙ୍ଗ ମହଲ, ଛୋଟି ଦେବକଲି, ବଡ଼ି ଦେବକଲି ସହ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ମଠ ଓ ମନ୍ଦିରରେ ଦୀପ ପ୍ରଜ୍ବଳିତ କରାଯିବ । ଉଭୟ ଅଗଷ୍ଟ 4 ଓ 5 ତାରିଖରେ ଏହି ଦିପୋତ୍ସବ ପାଳନ ହେବ ।
ଅତିଥିଙ୍କ ତାଲିକା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇଲା ମନ୍ଦିର ଟ୍ରଷ୍ଟ
ଶ୍ରୀ ରାମ ମନ୍ଦିର ଭୂମି ପୂଜନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିବା ପରେ, ଶ୍ରୀ ରାମ ଜନ୍ମଭୂମି ଟ୍ରଷ୍ଟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅତିଥିଙ୍କ ତାଲିକା ପଠାଇଛି । ଯଦିଓ ଟ୍ରଷ୍ଟ ଏପର୍ଯ୍ୟନ୍ତ କେତେ ଜଣ ଅତିଥି ଆସିବେ ସେନେଇ କୌଣସି ସୂଚନା ଦେଇ ନାହିଁ ତଥାପି କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ଖୁବ କମ ଲୋକଙ୍କୁ ନିମନ୍ତ୍ରଣ କରଯାଇଥିବା ଜଣା ପଡ଼ିଛି । ଅଗଷ୍ଟ 5କୁ ସାରା ଦେଶରେ ହିନ୍ଦୁ ମାନେ ପର୍ବ ଭାବେ ପାଳନ କରିବେ ।
200 ଜଣଙ୍କୁ ନିମନ୍ତ୍ରଣ ପାଇଁ ମିଳିଛି ସହମତି
ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟ 268 ଲୋକଙ୍କ ତାଲିକା ପ୍ରସ୍ତୁତ କରିଥିବା ବେଳେ ଭୂମି ପୂଜନ ପାଇଁ 200 ଲୋକଙ୍କୁ ନିମନ୍ତ୍ରଣ କରିବାକୁ ଅନୁମତି ମିଳିଛି । ସେମାନେ 50 ଜଣ କ୍ଷମତା ବିଶିଷ୍ଟ ବ୍ଲକରେ ବସିବା ନେଇ ପ୍ରସ୍ତୁତି କରାଯିବ। ଗୋଟିଏ ବ୍ଲକ ଦେଶର ସର୍ବୋଚ୍ଚ ସାଧୁ, ସନ୍ଥ ଏବଂ ମହନ୍ତଙ୍କ ପାଇଁ ପାଇଁ ସଂରକ୍ଷିତ ରହିବ । ସେହିପରି ଅନ୍ୟ ଏକ ବ୍ଲକ ଯେଉଁ ନେତାମାନେ ରାମ ଜନ୍ମଭୂମି ମନ୍ଦିର ଆନ୍ଦୋଳନ ସହିତ ଜଡିତ ଥିଲେ ସେମାନଙ୍କ ପାଇଁ ରହିବ । ସେମାନଙ୍କ ମଧ୍ୟରୁ କିଛି ବିଶିଷ୍ଟ ନେତା ହେଉଛନ୍ତି ଆରଏସଏସ ମୁଖ୍ୟ ମୋହନ ଭଗବତ, ଲାଲ କୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ, କଲ୍ୟାଣ ସିଂ, ଉମା ଭାରତୀ, ବିନୟ କାଟିୟାର ଏବଂ ସାଧବୀ ରୀତମଭ୍ରା। ଏହି କାର୍ଯ୍ୟକ୍ରମରେ କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଅଂଶଗ୍ରହଣ କରିବାର ସମ୍ଭାବନା ରହିଛି। ଗୋଟିଏ ବ୍ଲକ ଶିଳ୍ପପତି, ବରିଷ୍ଠ ବ୍ୟୁରୋକ୍ରାଟ୍ସ ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ପାଇଁ ମଧ୍ୟ ଦିଆଯିବ ।
ଭୂମି ପୂଜନର ହେବ ସିଧା ପ୍ରସାରଣ
ଲୋକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ବହୁ ପ୍ରତିକ୍ଷିତ ଶ୍ରୀ ରାମ ମନ୍ଦିରର ଭୂମି ପୂଜନର ସିଧାପ୍ରସାରଣ ଦେଖିବାକୁ ଚାହୁଁଛନ୍ତି । କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ଶ୍ରୀ ରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟ ଅଳ୍ପ ଲୋକଙ୍କୁ ଆମନ୍ତ୍ରଣ କରିଛି । ଶ୍ରୀ ରାମ ମନ୍ଦିର ଭୂମି ପୂଜନର ସିଧା ପ୍ରସାରଣ ଦୂରଦର୍ଶନରେ ହେବ । ପ୍ରଧାନମନ୍ତ୍ରୀ ମୋଦି ଭିତ୍ତି ପ୍ରସ୍ତର ସ୍ଥାପନ ପରେ ଉଦବୋଧନ ଦେବେ । ଅଯୋଧ୍ୟାର ବିଭିନ୍ନ ସ୍ଥାନରେ ଏଲଇଡି ସ୍କ୍ରିନ ମଧ୍ୟ ଲଗାଯିବା ନେଇ ଆଲୋଚନା ହୋଇଛି ଯାହାଦ୍ବାରା ଲୋକମାନେ ଏହି ଐତିହାସିକ କ୍ଷଣକୁ ଦେଖିପାରିବେ । ଏଲଇଡି ଅଯୋଧ୍ୟା ଏବଂ ଫୈଜାବାଦରେ ମଧ୍ୟ ଲଗାଯିବାର ସମ୍ଭାବନା ଅଛି । ଲୋକମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦବୋଧନ ଶୁଣିବାକୁ ସକ୍ଷମ ହେବେ ବୋଲି ବିଭିନ୍ନ ସ୍ଥାନରେ ଲାଉଡ ସ୍ପିକର ସ୍ଥାପନ କରାଯିବ ।
32 ସେକେଣ୍ଡ, 5ଟି ରୂପା ଇଟା
ଜ୍ୟୋତିଷ ମାନେ ଭୂମି ପୂଜନ ପାଇଁ ଅଗଷ୍ଟ 5 ତାରିଖ ମଧ୍ୟାହ୍ନ 12:15:15 ଘଟିକାରୁ 12:15:32 ଘଟିକା ପର୍ଯ୍ୟନ୍ତ ରଖିଛନ୍ତି । ଏହି 32 ସେକେଣ୍ଡରେ ମୋଦି 5ଟି ରୂପା ଇଟା ସହ ଭିତ୍ତି ପ୍ରସ୍ତର ରଖିବେ ଯେଉଁଥିରେ ବିଭିନ୍ନ ନକ୍ଷତ୍ର ମାନ ଖୋଦିତ ହୋଇଛି । ଏହି ଇଟା ଗୁଡ଼ିକ ଶ୍ରୀ ମଣିରାମ ଦାସ ଛାଭଣି ମଠ ମହନ୍ତ ଓ ଶ୍ରୀ ରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟ ଅଧ୍ୟକ୍ଷ ନିତ୍ୟ ଗୋପାଳ ଦାସ ଏହି ଇଟା ଉପଲବ୍ଧ କରାଇଛନ୍ତି । ରାମଲଲାଙ୍କୁ ଏହି ପବିତ୍ର ଇଟା ଉତ୍ସର୍ଗ କରାଯାଇଛି ।
ପ୍ରାଧାନମନ୍ତ୍ରୀଙ୍କ ଆସିବା ପୂର୍ବରୁ ହେବ ଅନ୍ୟାନ୍ୟ ରୀତିନୀତି
ଅଗଷ୍ଟ 5 ତାରିଖ ଦିନ 11:30ରେ ମୋଦି ରାମ ଜନ୍ମଭୂମି ପରିସରରେ ପହଁଞ୍ଚିବେ । ତେବେ ଏହା ପୂର୍ବରୁ ଭୂମି ପୂଜନ ପାଇଁ ଅନ୍ୟାନ ଧାର୍ମିକ ବିଧି ବିଧାନ ସବୁ କରାଯିବ । ଶ୍ରୀ ମଣିରାମ ଦାସ ଛାଭଣିଙ୍କ ଉତ୍ତରାଧିକାରୀ ମହନ୍ତ କମଳନୟନ ଦାସ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ପହଁଞ୍ଚିବା ପରେ ଭିତ୍ତି ପ୍ରସ୍ତର ସ୍ଥାପନ ଓ ଭୂମି ପୂଜନ କାର୍ଯ୍ୟ ହେବ । ଏହାପରେ ପୂରାତନ ହନୁମାନ ମନ୍ଦିରକୁ ଯାଇ ମୋଦି ଦର୍ଶନ କରିବେ ଓ ସେଠାରୁ ସିଧାସଳଖ ବିମାନବନ୍ଦର ପାଇଁ ବାହାରି ଯିବେ ।
ସାକେତ ମହାବିଦ୍ୟାଳୟରେ ହେବ ହେଲି ପ୍ୟାଡ
ଅନେକ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଆଗମନକୁ ଦୃଷ୍ଟିରେ ରଖି ସାକେତ ମହାବିଦ୍ୟାଳୟର ଖେଳ ପଡ଼ିଆରେ ଏକ ଅସ୍ଥାୟୀ ହେଲିପ୍ୟାଡ ନିର୍ମାଣ କରାଯିବ । ଏହା ଶ୍ରୀ ରାମ ଜନ୍ମଭୂମି ପରିସରରୁ ଅଳ୍ପ ଦୂରରେ ଅବସ୍ଥିତ । ସୁରକ୍ଷା ଦୃଷ୍ଟିରୁ ମଧ୍ୟ ଏହି ସ୍ଥାନକୁ ବଛା ଯାଇଛି । ତେବେ ଅଯୋଧ୍ୟା ଗସ୍ତ କରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ