ନୂଆଦିଲ୍ଲୀ: ମୋଦି ସରକାରଙ୍କ ଦ୍ବିତୀୟ ପାଳିରେ 6 ମାସ ପୁରା ହୋଇଥିବା ବେଳେ ମନ୍ତ୍ରୀମାନଙ୍କ ରିପୋର୍ଟ କାର୍ଡ ଯାଞ୍ଚ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି(ଶନିବାର) କେନ୍ଦ୍ରୀୟ ମନ୍ତ୍ରୀପରିଷଦର ସମୀକ୍ଷା ବୈଠକ ହେବ । ଏଥିରେ ମୋଦି ସମସ୍ତ କେନ୍ଦ୍ରମନ୍ତ୍ରୀଙ୍କ 6 ମାସର କାର୍ଯ୍ୟ ବିଷୟରେ ତଦାରଖ କରିବେ ।
ଏହି ବୈଠକରୁ ହିଁ ମନ୍ତ୍ରୀଙ୍କ ପଦବୀ ଓ ପ୍ରମୋସନ ବିଷୟରେ ଜଣାପଡିବ । ମନ୍ତ୍ରୀଙ୍କ କାମକୁ ଦେଖି ପ୍ରଧାନମନ୍ତ୍ରୀ ସେମାନଙ୍କ ଆଗାମୀ ଭବିଷ୍ୟତକୁ ନିର୍ଦ୍ଧାରିତ କରିବେ । 6ମାସ ମଧ୍ୟରେ ମନ୍ତ୍ରୀଙ୍କ ଉପଲବ୍ଧି ଓ ଯେଉଁ ଯେଉଁ ଦାୟିତ୍ବ ଦିଆଯାଇଥିଲା, ସେ ସବୁ ପୁରା ହୋଇଛି କି ନାହିଁ ଯାଞ୍ଚ ହେବ ।
ମନ୍ତ୍ରୀଙ୍କ ଆଗାମୀ ଉଦ୍ଦେଶ୍ୟ ଓ ମୋଦିଙ୍କ ସରକାର କେତେ ବ୍ୟବସ୍ଥିତ, ସେନେଇ ସମୀକ୍ଷା କରାଯିବ । ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସମେତ ବିଜେପିର କାର୍ଯ୍ୟକାରୀ ଅଧିକାରୀ ଜେପି ନଡ୍ଡା ଓ ନ୍ୟାସନାଲ ଜେନେରାଲ ସେକ୍ରେଟାରୀ ବିଏଲ୍ ସନ୍ତୋଷ ମଧ୍ୟ ଉପସ୍ଥିତ ରହିବେ ।