ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଅବସରରେ ଟ୍ରାକ୍ଟର ମାର୍ଚ୍ଚ ସମୟରେ ହୋଇଥିବା ହିଂସା ସତ୍ତ୍ବେ କୃଷି ଆଇନକୁ ପ୍ରତ୍ୟାହାର ଦାବିରେ ସିଂଘୁ ସୀମାରେ ଅଟଳ ଚାଷୀ । ତେବେ ଚାଷୀ ଆନ୍ଦୋଳନର ପ୍ରଦର୍ଶନ ସ୍ଥଳୀରେ ଶୁକ୍ରବାର ପୁଣି ଥରେ ହିଂସା ଉପୁଜିଛି । ନିଜକୁ ସ୍ଥାନୀୟ ଅଧିବାସୀ କହୁଥିବା ଲୋକେ ଧାରଣାସ୍ଥଳରେ ପହଞ୍ଚି ରାସ୍ତା ଖାଲି କରିବାର ଦାବି କରିଥିଲେ । ତେବେ ସ୍ଥିତି ଅଣାୟତ୍ତ ହେବାରୁ ପୋଲିସକୁ ଲୁହବୁହା ଗ୍ୟାସ ପ୍ରୟୋଗ କରିବାକୁ ପଡିଥିଲା । ଏହାରି ମଧ୍ୟରେ ପ୍ରଦର୍ଶନକାରୀଙ୍କ ଖଣ୍ଡା ଚୋଟରେ ଅଲୀପୁରର SHO ପ୍ରଦୀପ ପାଲୀୱାଲ ଆହତ ହୋଇଛନ୍ତି ।
ସିଂଘୁ ସୀମାରେ ଉତ୍ତେଜନା ଉପୁଜିବା ପରେ ଉଭୟ ଆନ୍ଦୋଳନରତ ଚାଷୀ ଓ ସ୍ଥାନୀୟ ଲୋକଙ୍କ ଉପରେ ପୋଲିସକୁ ବଳ ପ୍ରୟୋଗ କରିବାକୁ ପଡିଥିଲା । ଏହି ସମୟରେ ମୁହାଁମୁହିଁ ହୋଇଥିଲେ ପ୍ରଦର୍ଶନକାରୀ ଓ ସୁରକ୍ଷାକର୍ମୀ । ଉଭୟପକ୍ଷଙ୍କ ମଧ୍ୟରେ ପଥର ଫିଙ୍ଗାଫିଙ୍ଗି ସ୍ଥିତି ମଧ୍ୟ ଉପୁଜିଥିଲା ।
କୁହାଯାଉଛି ଯେ, ସିଂଘୁ ସୀମାରେ ବିରୋଧ ପ୍ରଦର୍ଶନ କରୁଥିବା ଚାଷୀଙ୍କୁ ସେଠାରୁ ହଟାଇବା ପାଇଁ ବୱାନା ଓ ନରେଲାକୁ କିଛି ସ୍ଥାନୀୟ ଅଧିବାସୀ ପହଞ୍ଚିଥିଲେ । ଏମାନେ ଆନ୍ଦୋଳନରତ ଚାଷୀଙ୍କ ଉପରେ ପଥର ଫଙ୍ଗିଥିଲେ । କିଛି ଚାଷୀଙ୍କ ଉପରେ ଲାଠିମାଡ ମଧ୍ୟ ହୋଇଛି । ଦୀର୍ଘ ସମୟ ପୋଲିସ ସ୍ଥାନୀୟ ଅଧିବାସୀ ଓ ଆନ୍ଦୋଳନରତ ଚାଷୀଙ୍କୁ ବୁଝାସୁଝା କରିଥିଲେ । ହେଲେ ସ୍ଥିତି ଅଣାୟତ୍ତ ହେବାରୁ ପୋଲିସକୁ ଲାଠିଚାର୍ଜ କରିବାକୁ ପଡିଥିଲା ।