ନୂଆଦିଲ୍ଲୀ: ଇମ୍ୟୁନିଟି ବୁଷ୍ଟର୍ କୋରୋନିଲ୍ ଲଞ୍ଚ୍ ହେବା ଦିନଠାରୁ ବିବାଦ ଘେରରେ ପତଞ୍ଜଳୀ ଯୋଗ ପୀଠର ପ୍ରତିଷ୍ଠାତା ଯୋଗଗୁରୁ ବାବା ରାମଦେବ । ବର୍ତ୍ତମାନ ତାଙ୍କ ସମର୍ଥନରେ ଆଖଡା ପରିଷଦ । ସାଧୁସନ୍ଥଙ୍କ ସର୍ବୋଚ ସଂସ୍ଥା ଅଖିଳ ଭାରତୀୟ ଆଖଡା ପରିଷଦ ବାବା ରାମଦେବଙ୍କ ଦ୍ବାରା କରାଯାଇଥିବା ଅନୁସନ୍ଧାନକୁ ସଠିକ୍ ବୋଲି କହିଛନ୍ତି ।
ଅଖିଳ ଭାରତ ଆଖଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରି କହିଛନ୍ତି ଯେ ଆୟୁର୍ବେଦ ଆମର ପ୍ରାଚୀନ ଔଷଧ ପ୍ରଣାଳୀ । ବାବା ରାମଦେବ ଓ ପତଞ୍ଜଳୀ ଯୋଗ ପୀଠର ସାଧାରଣ ସମ୍ପାଦକ ବାଳକୃଷ୍ଣ ସମସ୍ତ ରିସର୍ଚ୍ଚ କରିବା ପରେ ହିଁ ରୋଗ ସହ ଲଢିବା ପାଇଁ ଇମ୍ୟୁନିଟି ବୁଷ୍ଟର ପ୍ରସ୍ତୁତ କରିଥିଲେ ।
ସେ କହିଛନ୍ତି, ରାମଦେବଙ୍କ ଦ୍ବାରା ପ୍ରସ୍ତୁତ ଔଷଧ ଦେଶ ସ୍ବାର୍ଥ ପାଇଁ । ସମଗ୍ର ସନ୍ଥ ସମାଜ ବାବା ରାମଦେବଙ୍କ ସମର୍ଥନରେ ଠିଆ ହୋଇଛି । ମହନ୍ତ ନରେନ୍ଦ୍ର ଗିରି କହିଛନ୍ତି ଯେ ବିଶ୍ବରେ କୋରୋନା ସ୍ଥିତି ବଢିବାରେ ଲାଗିଛି । ଏପରି ସ୍ଥିତିରେ କୌଣସି ଚିକିତ୍ସିକ କିମ୍ବା ବୈଜ୍ଞାନିକ ଟୀକା ବାହାର କରିପାରିନାହାଁନ୍ତି । ତେଣୁ ଆୟୁର୍ବେଦକୁ ବ୍ୟବହାର କରି କୋରୋନା ପ୍ରତିରୋଧକ ପ୍ରସ୍ତୁତ କରିଛନ୍ତି ରାମଦେବ ।
ସେ ଏହା ମଧ୍ୟ କହିଛନ୍ତି ଯେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଆତ୍ମନିର୍ଭରଶୀଳ ହେବା ଓ ସ୍ବଦେଶୀ ଆପଣାଇବାକୁ କହୁଛନ୍ତି । କୋରୋନା କାଳରେ ବାବା ରାମଦେବ ମଧ୍ୟ ସମାନ ଦିଗରେ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି । ପତଞ୍ଜଳୀ ଫାର୍ମାସୀ ଏହା ପୂର୍ବରୁ ମଧ୍ୟ ଅନେକ ଆୟୁର୍ବେଦ ଔଷଧ ପ୍ରସ୍ତୁତ କରିଛନ୍ତି । ବାବା ରାମଦେବ ଏହି ସଫଳତା ନିଜର କଠିନ ପରିଶ୍ରମ ଦ୍ବାରା ହାସିଲ କରିଛନ୍ତି । ଏଥିପାଇଁ ରାମଦେବଙ୍କୁ ବିରୋଧ କରୁଥିବା ଲୋକେ ଆଗକୁ ବଢି ନିଜେ କିଛି ଶିଖିବାକୁ ସେ କହିଛନ୍ତି ।