ମୁମ୍ବାଇ: ପୁଣିଥରେ ଉପ-ମୁଖ୍ୟମନ୍ତ୍ରୀ ହେଲେ ଏନସିପିର ବରିଷ୍ଠ ନେତା ଅଜିତ ପାୱାର । ମହାରାଷ୍ଟ୍ର ବିଧାନ ଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ତାଙ୍କୁ ଉପ-ମୁଖ୍ୟମନ୍ତ୍ରୀ ପଦର ଶପଥ ପାଠ କରାଇଛନ୍ତି । ଏହା ପୂର୍ବରୁ ଅଜିତ ପାୱାର ବିଜେପି ସହ ସରକାର ଗଠନ କରି ଉପ-ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଥିଲେ ।
ଏନସିପି ପ୍ରମୁଖ ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାର ଆଜି ଚତୁର୍ଥ ଥର ପାଇଁ ଉପ-ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । ସେ ସର୍ବପ୍ରଥମେ 2010 ମସିହା ନଭେମ୍ବର ମାସରେ ଶପଥ ନେଇଥିଲେ । ଏହାପରେ ଅକ୍ଟୋବର 2012 ରେ ଦ୍ବିତୀୟ ଥର ପାଇଁ ଏବଂ ତୃତୀୟ ଥର ପାଇଁ ସେ ନଭେମ୍ବର 2019 ରେ ମାତ୍ର 80 ଘଣ୍ଟା ପାଇଁ ଉପ-ମୁଖ୍ୟମନ୍ତ୍ରୀ ହୋଇଥିଲେ ।
ତେବେ ପାୱାରଙ୍କ ସହ ଏନସିପି, ଶିବସେନା ଏବଂ କଂଗ୍ରେସର ମୋଟ 36 ବିଧାୟକ ମନ୍ତ୍ରୀ ପଦର ଶପଥ ନେଇଛନ୍ତି । ସେମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ମଧ୍ୟ ସାମିଲ ଅଛନ୍ତି । ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ସମସ୍ତଙ୍କୁ ମନ୍ତ୍ରୀ ପଦର ଶପଥ ପାଠ କରାଇଛନ୍ତି ।
ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ରରେ ଅକ୍ଟୋବର ୨୪ରେ ନିର୍ବାଚନ ଫଳାଫଳ ବାହାରିଥିଲା। ବହୁ କସରତ ପରେ ମହାରାଷ୍ଟ୍ରରେ କଂଗ୍ରେସ-ଏନସିପି ଏବଂ ଶିବସେନା ମେଣ୍ଟ କରି ସରକାର ଗଠନ ପାଇଁ ବୁଝାମଣା ସରିଥିବାବେଳେ ବିଜେପି ସହ ମିଶି ସରକାର ଗଢିଥିଲେ ଅଜିତ । ସେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ମଧ୍ୟ ଗ୍ରହଣ କରିଥିଲେ । ଏହାର 3 ଦିନ ପରେ ସେ ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ପୁନର୍ବାର ଦଳକୁ ଫେରିଥିଲେ ।