ନୂଆଦିଲ୍ଲୀ: ଦୀର୍ଘ ତିନି ମାସ ପରେ ଏମ୍ସରେ ଖୋଲିବ ଆଉଟ ଡୋର୍ ଡିପାର୍ଟମେଣ୍ଟ (ଓପିଡି) । କୋରୋନା ମହାମାରୀ ପାଇଁ ଏହି ସେବା ବନ୍ଦ ରହିଥିଲା । ଜୁନ୍ 25ରୁ ଏହି ସେବା ନିର୍ଦ୍ଦିଷ୍ଟ ନିୟମ ସହିତ ଆରମ୍ଭ ହେବ ବୋଲି ସୂଚନା ରହିଛି ।
ମାଗଣାରେ ଜଣେ ରୋଗୀ ଏମ୍ସ ଓପିଡିରେ ସ୍ବାସ୍ଥ୍ୟ ପରୀକ୍ଷା କରିପାରିବ । ଏହି ସେବା ପାଇଁ ଗହଳି ଲାଗୁଥିବାରୁ ମାର୍ଚ୍ଚ 24ରେ ଲକଡାଉନ୍ ବେଳେ ଓପିଡି ସେବାକୁ ବନ୍ଦ କରିଥିଲା ସ୍ବାସ୍ଥ୍ୟ ମନ୍ତ୍ରାଳୟ ।
ଏମ୍ସର ପ୍ରଶାସିନକ ବିଭାଗର ସୂଚନା ଅନୁୟାୟୀ, ଏମ୍ସ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ ଓପିଡି ସେବା ଆରମ୍ଭ କରିବା ପାଇଁ ସରକାରଙ୍କ ପାଖରୁ ଅନୁମତି ଆଣି ସାରିଛନ୍ତି । ଏବେ ଓପିଡିର ପ୍ରତ୍ୟେକ ବିଭାଗ ଦିନକୁ 15ରୁ ଅଧିକ ରୋଗୀଙ୍କ ଚିକିତ୍ସା କରିବନି ବୋଲି ନିଷ୍ପତ୍ତି ନେଇଥିବା ସୂଚନା ରହିଛି । ଦେଶରେ କୋରୋନା ସ୍ଥିତି ଦେଖି ରୋଗୀ ସଂଖ୍ୟା ବଢ଼ାଯିବ ବୋଲି ଜଣାପଡ଼ିଛି ।
ତେବେ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟବସ୍ଥା ଦେଖି ଏମ୍ସ ଡାକ୍ତର ପ୍ରଥମେ ଫୋନ୍ ଯୋଗେ ସେବା ଯୋଗାଇବାକୁ ଚେଷ୍ଟା କରିବେ । ଯଦି ଅତି ଜରୁରୀ ଥିବ ତା'ହେଲେ କୋରୋନା ନିୟମ ସହିତ ଚିକିତ୍ସା କରିବେ ବୋଲି ଜଣାପଡ଼ିଛି ।