ରାୟପୁର: ଛତିଶଗଡର ଦୁର୍ଗ ଜିଲ୍ଲା ମାଟ୍ରୋଡିହ ଗ୍ରାମର ଜଣେ କୃଷକଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ କରିବା ପାଇଁ ରାଜ୍ୟ କୃଷି ମନ୍ତ୍ରୀ ରବୀନ୍ଦ୍ର ଚୌବେ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ ପରେ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୃଷି ମନ୍ତ୍ରୀ କହିଛନ୍ତି । ଏଥିସହ ମୃତ ଚାଷୀଙ୍କ ପରିବାର ପାଇଁ କ୍ଷତିପୂରଣ ଉପରେ ବିଚାର କରାଯିବ ଏବଂ ସେ ନିଜେ ଦୁର୍ଗକୁ ଯାଇ ଚାଷୀଙ୍କ ପରିବାରକୁ ଭେଟିବେ ବୋଲି ମଧ୍ୟ କୃଷି ମନ୍ତ୍ରୀ କହିଛନ୍ତି ।
ସୂଚନା ଅନୁଯାୟୀ ରାଜ୍ୟର ଦୁର୍ଗ ଗ୍ରାମୀଣ ବିଧାନସଭା କ୍ଷେତ୍ରର ଜଣେ ଚାଷୀ ଫସଲ ହାନୀ ହେବାର ଚିନ୍ତାରେ ନିଜ ଜମିରେ ଥିବା ଏକ ଗଛରେ ଫାଶୀ ଲଗାଇ ଆତ୍ମହତ୍ୟା କରିଦେଇଛନ୍ତି । ତାଙ୍କ ନାମ ଦୁର୍ଗେଶ ନିଶାଦ । ସେ 5 ଏକର ଜମିରେ ଧାନ ଚାଷ କରିଥିଲେ । ପୋଲିସ୍ ର କହିବା ଅନୁଯାୟୀ ଆତ୍ମହତ୍ୟା କରିବା ପୂର୍ବରୁ କୃଷକ ଜଣକ ଏକ ସୁଇସାଇଡ୍ ନୋଟ୍ ଲେଖିଛନ୍ତି । ମୃତ କୃଷକ ଜଣକ ଲେଖିଛନ୍ତି ଯେ, ଚଳିତ ବର୍ଷ ତାଙ୍କର ଭଲ ଫସଲ ହୋଇଥିଲା । ହେଲେ କିଛିଦିନ ପରେ ଫସଲରେ ପୋକ ଲାଗିଯାଇଥିଲା ।
ଫଳରେ ସେ ତିନି ଥର ଔଷଧ ସିଞ୍ଚନ କରିଥିଲେ ମଧ୍ୟ ଫସଲରୁ ରୋଗ ପୋକ ଦୂର ହୋଇ ନ ଥାଲା । ଏଥିପାଇଁ ସେ ଆତ୍ମହତ୍ୟା କରିଥିବା ସୁଇସାଇଡ୍ ନୋଟ୍ ରେ ଲେଖିଛନ୍ତି । ଏନେଇ ମଞ୍ଚାଦୂର ଚୌକି ପୋଲିସ୍ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଯଦିଓ ରାଜ୍ୟ ସରକାର ଚାଷୀଙ୍କ ହିତ ପାଇଁ ଅନେକ ଉଦ୍ୟମ କରୁଛନ୍ତି, କିନ୍ତୁ ଛତିଶଗଡରେ ଚାଷୀଙ୍କ ଆତ୍ମହତ୍ୟା ଥମିବାର ନାମ ନେଉନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ