“ଆପଣ ଜାଣନ୍ତି କି ସେଇଟା କ’ଣ ? ତାହା ହେଲା, ଆମେ ଯେଉଁ ପାଞ୍ଚ ଘଣ୍ଟା ବିତାଇ ଦେଉ, ତାହାରି ଭଳି । ଆଉ ଏଥିପାଇଁ ଆମେ କହିବା ଦରକାର ଯେ, ‘ଓଃ, ଲାଇବ୍ରେରୀ ପାଇଁ ଧନ୍ୟବାଦ ।’ ମୁଁ ଜାଣିନି, ଆଫଗାନିସ୍ତାନରେ ଏଇଟା କାହା କାମରେ ଲାଗୁଛି ।” 2019 ଜାନୁଆରୀ ପ୍ରାରମ୍ଭରେ, ଆଫଗାନିସ୍ତାନକୁ ଭାରତର ସହାୟତା ପ୍ରଦାନକୁ ବିଦ୍ରୁପ କରି ଏହା କହିଥିଲେ ଡୋନାଲ୍ଡ ଟ୍ରମ୍ପ୍ । ଭାରତର ସହାୟତାକୁ କେବଳ ‘ଗୋଟିଏ ଲାଇବ୍ରେରୀ ନିର୍ମାଣ’ ବୋଲି ସେ କହିଥିଲେ । ବୋଧହୁଏ, ଟ୍ରମ୍ପ ଆଫଗାନିସ୍ତାନର ନୂଆ ସଂସଦ ଭବନକୁ ଲାଇବ୍ରେରୀ କୋଠା ବୋଲି କହୁଥିଲେ, ଯାହା କି ଭାରତୀୟ ସହାୟତାରେ ନିର୍ମାଣ କରାଯାଇଥିଲା ଏବଂ ଯାହାକୁ 2015ରେ ପ୍ରଧାନ ମନ୍ତ୍ରୀ ମୋଦି ଉଦ୍ଘାଟନ କରିଥିଲେ । ଯୁଦ୍ଧ ବିଧ୍ବସ୍ତ ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର ଲାଗି ତାଙ୍କ ନିଷ୍ପତ୍ତି ସଂପର୍କରେ ବୁଝାଇବାକୁ ଯାଇ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହା କହିଥିଲେ । ନୂଆଦିଲ୍ଲୀ ଏଥିରେ ମର୍ମାହତ ହୋଇଥିଲା ଏବଂ ଆଫଗାନିସ୍ତାନର ପୁନଃ ନିର୍ମାଣ ଦିଗରେ 3 ଶହ କୋଟି ଆମେରିକୀୟ ଡଲାରର ସାହାଯ୍ୟ ଓ ସହାୟତା ଦେବାକୁ ଭାରତର ଅଙ୍ଗୀକାରବଦ୍ଧତାକୁ ଦୋହରାଇବା ସହିତ ଆଫଗାନିସ୍ତାନରେ ଆମେରିକୀୟ କିମ୍ବା ପାକିସ୍ତାନୀଙ୍କ ତୁଳନାରେ ଭାରତୀୟମାନେ ଅଧିକ ଲୋକପ୍ରିୟ ଏବଂ ବିଶ୍ବାସଯୋଗ୍ୟ ବୋଲି ସୂଚାଇ ଦେଇଥିଲା ।
ଅହମ୍ମଦାବାଦର ମୋଟେରାରେ, ବିଶ୍ବର ନବୀନତମ ଏବଂ ବୃହତ୍ତମ କ୍ରିକେଟ୍ ଷ୍ଟାଡିଅମ୍ରେ ଭରି ହୋଇଥିବା ଲୋକଙ୍କୁ ସମ୍ବୋଧନ କରି ଟ୍ରମ୍ପ୍ ଆତଙ୍କବାଦ ବିରୋଧୀ କାର୍ଯ୍ୟକ୍ରମ ସଂପର୍କରେ ତ କହିଲେ, କିନ୍ତୁ ପାକିସ୍ତାନ ବିରୋଧରେ ମନ୍ତବ୍ୟ ଦେବାକୁ ଯାଇ ନରମି ଗଲେ । ‘ନମସ୍ତେ ଟ୍ରମ୍ପ୍’ ଶୀର୍ଷକ ଏହି ସୁଦୃଶ୍ୟ ଓ ବିଶାଳ କାର୍ଯ୍ୟକ୍ରମରେ ଯୁକ୍ତରାଷ୍ଟ୍ର ଆମେରିକାର 45ତମ ରାଷ୍ଟ୍ରପତି କହିଲେ, “ଆତଙ୍କବାଦୀଙ୍କ ଗତିରୋଧ କରିବା ଏବଂ ସେମାନଙ୍କ ଚିନ୍ତାଧାରା ବିରୋଧରେ ଲଢ଼ିବା କ୍ଷେତ୍ରରେ ମିଳିମିଶି କାର୍ଯ୍ୟ କରିବାକୁ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଭାରତ ପ୍ରତିଶ୍ରୁତିବଦ୍ଧ । ଏହି କାରଣରୁ, ମୁଁ କାର୍ଯ୍ୟଭାର ନେଲା ଦିନରୁ ହିଁ ପାକିସ୍ତାନ ସୀମାରେ କାର୍ଯ୍ୟରତ ଆତଙ୍କବାଦୀ ସଂଗଠନ ଏବଂ ଉଗ୍ରବାଦୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଲାଗି, ମୋ ପ୍ରଶାସନ ଖୁବ୍ ସକାରାତ୍ମକ ଢଙ୍ଗରେ ପାକିସ୍ତାନ ସହ କାର୍ଯ୍ୟ କରିଆସୁଛି ।” କୌଣସି ଆମେରିକୀୟ ରାଷ୍ଟ୍ରପତି ଭାରତ ଗସ୍ତରେ ଆସିଲେ ସେଥିରେ ପାକିସ୍ତାନ ପରିଭ୍ରମଣକୁ ସାମିଲ କରିଥାଆନ୍ତି । 2010 ଏବଂ 2015ରେ ବାରାକ ଓବାମା ବି ତାହା ହିଁ କରିଥିଲେ । କିନ୍ତୁ ଟ୍ରମ୍ପ୍ ତାଙ୍କ ସର୍ବପ୍ରଥମ ସ୍ବୟଂଚାଳିତ ଭାରତ ଗସ୍ତ ଅବସରରେ ପାକିସ୍ତାନ ପରିଭ୍ରମଣକୁ ସାମିଲ କରି ନଥିଲେ । ତଥାପି, ତାଙ୍କ ଗସ୍ତ ସମୟ ସହିତ, ଆଗକୁ ପାକିସ୍ତାନ ସହାୟତାରେ ଖୁବ୍ ଶୀଘ୍ର ସଂପାଦିତ ହେବାକୁ ଥିବା ଯୁକ୍ତରାଷ୍ଟ୍ର ଆମେରିକା-ତାଲିବାନ ‘ଶାନ୍ତି ଚୁକ୍ତି’କୁ ସେ ମନରେ ରଖିଥିଲେ । ସେ କହିଲେ, “ପାକିସ୍ତାନ ସହ ଆମର ସଂପର୍କ ଖୁବ୍ ଭଲ ।
ଏସବୁ ପ୍ରୟାସ ବଳରେ ପାକିସ୍ତାନ ସହ ଆମେ ଦକ୍ଷିଣ ଏସିଆର ସମସ୍ତ ରାଷ୍ଟ୍ରରେ ଉତ୍ତେଜନା ହ୍ରାସ, ଅଧିକ ସ୍ଥିର ଏବଂ ଐକ୍ୟବଦ୍ଧ ଭବିଷ୍ୟତ ଦିଗରେ ବିଶେଷ ପ୍ରଗତିର ସଂକେତ ପାଇବୁ ବୋଲି ଆଶାବାଦୀ ।” ବେଙ୍ଗଳୁରୁର ତକ୍ଷଶିଳା ସଂସ୍ଥାରେ ଗୁଇନ୍ଦା ତଥ୍ୟ ବିଶ୍ଳେଷକ ରୂପେ କାର୍ଯ୍ୟରତ RAWର ପୂର୍ବତନ ସ୍ବତନ୍ତ୍ର ସଚିବ ଆନନ୍ଦ ଆର୍ନି କହନ୍ତି, “ଡୋନାଲଡ ଟ୍ରମ୍ପ୍ ଆଫଗାନିସ୍ତାନ ସହ ଏକ ଚୁକ୍ତିନାମା ଚାହୁଁଛନ୍ତି । ପୁନର୍ବାର ନିର୍ବାଚିତ ହେବାକୁ ତାଙ୍କ ଉଦ୍ୟମରେ ସହାୟତା ଲାଗି ଏହା ଗୁରୁତ୍ବପୂର୍ଣ୍ଣ । 2020 ନଭେମ୍ବରରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଆମେରିକୀୟ ସୈନ୍ୟମାନଙ୍କୁ ଫେରାଇ ଆଣିବା ତାଙ୍କର ଏକ ବୃହତ୍ ପ୍ରତିଶ୍ରୁତି ପୂରଣ କ୍ଷେତ୍ରରେ ମହତ୍ତ୍ବପୂର୍ଣ୍ଣ ।” ଏହି ଗୁରୁତ୍ବପୂର୍ଣ୍ଣ ଚୁକ୍ତିନାମା ଯୋଗୁଁ ହିଁ 2018ରେ ପାକିସ୍ତାନକୁ ଚେତାବନୀ ଦେଇ ଟ୍ବିଟ୍ କରୁଥିବା ଟ୍ରମ୍ପ୍, ଗତ ବର୍ଷ ହ୍ବାଇଟ୍ ହାଉସ୍ରେ ଏବଂ ଏ ବର୍ଷ, କିଛି ଦିନ ପୂର୍ବରୁ ଡାଭୋସ୍ରେ ତାଙ୍କ ପାଖରେ ବସିଥିବା ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କୁ ଜଣେ ‘ଉତ୍ତମ ବନ୍ଧୁ’ ରୂପେ ଅଭିହିତ କରିଥିଲେ ।
ଜଣେ ବୃତ୍ତିଧାରୀ କୂଟନୈତିଜ୍ଞ ଏବଂ ପାକିସ୍ତାନରେ ଭାରତର ପୂର୍ବତନ ହାଇ କମିସନର ଶରତ ସାଭରୱାଲ କହିଲେ, “ଯୁକ୍ତରାଷ୍ଟ୍ର ଆମେରିକା ଏବଂ ପାକିସ୍ତାନ ମଧ୍ୟରେ ଥିବା ସଂପର୍କ ନିହାତି ବ୍ୟାବସାୟିକ । ଏହି ରାଜିନାମାରେ ଇସ୍ଲାମାବାଦର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିବାରୁ ପାକିସ୍ତାନର ସାହାଯ୍ୟ ପାଇଁ ଆମେରିକା ଆଜିକୁ ବର୍ଷେ ହେଲା ଚେଷ୍ଟା କରିଆସୁଛି । ଏହି ଚୁକ୍ତିନାମା କାର୍ଯ୍ୟକାରୀ ହେବା ପୂର୍ବରୁ, ହିଂସାତ୍ମକ କାର୍ଯ୍ୟକଳାପ ହ୍ରାସ କରିବାର ଅବଧି ଗତ ଶନିବାର ଦିନରୁ ହିଁ ଆରମ୍ଭ ହୋଇଛି । ତେଣୁ ଗୁଜରାଟରେ ରାଷ୍ଟ୍ରପତି ଟ୍ରମ୍ପ ଦେଇଥିବା ମନ୍ତବ୍ୟରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ।” ସେ ଆହୁରି କହିଲେ ଯେ, ଆତଙ୍କବାଦ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନ ଉପରେ ଚାପ ପ୍ରୟୋଗ କରିଆସୁଛି ସତ, ହେଲେ ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର କାର୍ଯ୍ୟ ସମ୍ପାଦିତ ନହେବା ଯାଏଁ, ସେମାନେ ଅତି ଅଧିକ ଚାପ ପ୍ରୟୋଗ କରିବେ ନାହିଁ । ଏଭଳି ସମୟରେ, ଭାରତ ଏଥିପାଇଁ ଚିନ୍ତିତ ଯେ, ଏହି ପ୍ରସ୍ତାବିତ ଶାନ୍ତି ଚୁକ୍ତିନାମା ସଂପାଦନ ଏବଂ ତଦ୍ଜନିତ ଆମେରିକୀୟ ସେନା ପ୍ରତ୍ୟାହାର ପରବର୍ତ୍ତୀ ସମୟରେ କାଳେ ଭାରତକୁ ଲକ୍ଷ୍ୟରେ ରଖି କାର୍ଯ୍ୟ କରୁଥିବା ଲସ୍କର-ଏ- ତୋଏବା ସମେତ ଅନେକ ଆତଙ୍କବାଦୀ ଗୋଷ୍ଠୀ ଆଫଗାନିସ୍ତାନ ସୀମାବର୍ତ୍ତୀ ଅଞ୍ଚଳରୁ ସେମାନଙ୍କ ପ୍ରଶିକ୍ଷଣ ଶିବିରଗୁଡ଼ିକୁ କାଶ୍ମୀର ଭିତରକୁ ସ୍ଥାନାନ୍ତର କରି ଆଣିବେ । ଶାନ୍ତି ଚୁକ୍ତିନାମା ସଂପର୍କରେ ଭାରତର ଉଦ୍ବେଗକୁ ନୂଆଦିଲ୍ଲୀରେ ଟ୍ରମ୍ପ୍ଙ୍କ ସହ ଆନୁଷ୍ଠାନିକ ବାର୍ତ୍ତାଳାପ ସମୟରେ ଉତ୍ଥାପନ କରାଯିବ । ତାହା ବି ଏଭଳି ଏକ ସମୟରେ, ଯେତେବେଳେ କାବୁଲରେ, ଆଫଗାନିସ୍ତାନ ରାଷ୍ଟ୍ରପତି ରୂପେ ଅଶରଫ ଘନିଙ୍କ ନିର୍ବାଚନ ଫଳାଫଳ ଘୋଷଣାକୁ ବିରୋଧ କରି ଅବଦୁଲ୍ଲା ଅବଦୁଲ୍ଲା ମାମଲା କରିଛନ୍ତି । ଏହି ଆଭ୍ୟନ୍ତରୀଣ ରାଜନୈତିକ ବିବାଦ, ହୁଏତ ତାଲିବାନ ସହ କ୍ଷମତା ଭାଗ କରିବା ସକାଶେ ଆଫଗାନିସ୍ତାନ ଭିତରେ ହିଁ ହେବାକୁ ଥିବା ବାର୍ତ୍ତାଳାପକୁ ପ୍ରଭାବିତ କରିପାରେ ବୋଲି ଉଦ୍ବେଗ ପ୍ରକାଶ ପାଇଛି । ଇତ୍ୟବସରରେ, ଇସଲାମାବାଦକୁ ଖୁସି କରିବାକୁ ଯାଇ ନିକଟ ଭବିଷ୍ୟତରେ କାଶ୍ମୀରକୁ ନେଇ ‘ମଧ୍ୟସ୍ଥତା’ କରିବାକୁ ଡୋନାଲଡ ଟ୍ରମ୍ପ୍ ଯେଭଳି ପୁଣି ପ୍ରସ୍ତାବ ନ ଦିଅନ୍ତି, ତାହା ମଧ୍ୟ ନୂଆଦିଲ୍ଲୀକୁ ସୁନିଶ୍ଚିତ କରିବାକୁ ପଡ଼ିବ । ଏହାକୁ ଦ୍ବିପାକ୍ଷିକ ପ୍ରସଙ୍ଗ ବୋଲି କହି ଭାରତ ବାରମ୍ବାର ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଆସିଛି ।
ସ୍ମିତା ଶର୍ମା, ନୂଆଦିଲ୍ଲୀ